କନକ ବ୍ୟୁରୋ : ଜରୁରୀକାଳୀନ ଭାବେ ଗହମ ରପ୍ତାନୀ ଉପରେ ଭାରତ ସରକାର ରୋକ ଲଗାଇଛନ୍ତି । ଗହମ ରପ୍ତାନୀକୁ ଏବେ ପ୍ରତିବନ୍ଧିତ ସାମଗ୍ରୀ ତାଲିକାରେ ସାମିଲ କରାଯାଇଛି । ଏହାର ସବୁଠୁ ବଡ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଗହମର ସଙ୍କଟ ଓ ଦରବୃଦ୍ଧି ।
ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଯେଉଁମାନେ ଅର୍ଡର କରିଥିଲେ ତାହାକୁ ପୂରା କରାଯିବ । ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଏହାଛଡା ଜରୁରୀ ଏବଂ ପଡୋଶୀ ଦେଶରେ ଦେଖାଦେଇଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ସରକାରଙ୍କ ଅନୁମତିରେ ହିଁ ଅନ୍ୟ ଦେଶକୁ ଗହମ ରପ୍ତାନୀ ହେବ । ଯେଉଁ ଦେଶ ଗୁଡିକରେ ଖାଦ୍ୟର ଅତ୍ୟନ୍ତ ଜରୁରୀ ଥିବ ସେହି ଦେଶ ଗୁଡିକ ପାଇଁ ସରକାର ଗହମ ରପ୍ତାନୀ ପାଇଁ ନିଷ୍ପତ୍ତି ନେବେ । ଖାସକରି ପଡୋଶୀ ଦେଶ, ବିକାଶଶୀଳ ଦେଶର ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯେଉଁ ଦେଶ ଗୁଡିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗହମ କିଣିବାକୁ ଅକ୍ଷମ ସେହିଭଳି ଦେଶ ଗୁଡିକୁ ସହାୟତାର ହାତ ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ଏକ ପଦକ୍ଷେପ ହାତକୁ ନେଇଛନ୍ତି ।
ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଏବେ ବିଶ୍ୱ ବଜାରରେ ଗହମ ଦର ଆକାଶଛୁଆଁ ହୋଇଛି । ଋଷ ଏବଂ ୟୁକ୍ରେନ ସର୍ବାଧିକ ଗହମ ଉତ୍ପାଦନ କରିଥାନ୍ତି । କିନ୍ତୁ ଯୁଦ୍ଧ ପାଇଁ ଏହା ପ୍ରଭାବିତ ହୋଇଛି । ତେଣୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଗହମର ସଙ୍କଟ ଦେଖାଦେଇଛି ।