ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ ସିନ୍ଧୁ । ହକିରେ କ୍ୱାର୍ଟରରେ ଭାରତ ।

285

କନକ ବ୍ୟୁରୋ: ଟୋକିଓ ଅଲମ୍ପିକ୍ସର ଅଷ୍ଟମ ଦିନ ଭାରତ ପାଇଁ କିଛି ଇଭେଣ୍ଟରେ ଖୁସି ଆଣିଛି ଏବଂ କିଛି ପ୍ରତିଯୋଗିତାରେ ନିରାଶା ଆଣିଛି । ବକ୍ସିଂରେ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ଏକ ପଦକ ନିଶ୍ଚିତ କରିଛନ୍ତି । ପିଭି ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ହକିରେ ଭାରତ ଗ୍ରୁପ ଏ’ର ଅନ୍ତିମ ମ୍ୟାଚରେ ଜାପାନକୁ ହରାଇଛି । ତେବେ ତୀରନ୍ଦାଜ ଦୀପିକା କୁମାରୀ କ୍ୱାଟର ଫାଇନାଲରେ ହାରି ଯାଇଛନ୍ତି । ସେହିପରି ଓଡ଼ିଆ ଧାବିକା ଦୂତୀ ଚାନ୍ଦ, ତାଙ୍କ ହିଟ୍ରେ ସପ୍ତମ ସ୍ଥାନରେ ରହିବାରୁ ତାଙ୍କର ୧୦୦ ମିଟର ଦୌଡ଼ ଅଭିଯାନ ଶେଷ ହୋଇଛି ।

ଆଜି ଟୋକିଓ ଅଲମ୍ପିକ୍ସ-୨୦୨୦ରେ ମନ ଜିଣିଛନ୍ତି ଭାରତୀୟ ମହିଳା ଖେଳାଳି । ଶୁକ୍ରବାର ଦିନ ବକ୍ସର ଲଭଲିନା ଓ ବାଡମିଣ୍ଟନ ତାରକା ପିଭି ସିନ୍ଧୁ ନିଜ ନିଜ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରିଛନ୍ତି । ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଚମକ୍ରାର ପ୍ରଦର୍ଶନ କରି ଏକକ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଫର୍ମରେ ଥିବା ସିନ୍ଧୁୁ ୪ ନମ୍ବର ର୍ୟାଙ୍କିଙ୍ଗରେ ଥିବା ଜାପାନର ୟାମାଗୁଚିଙ୍କୁ ହରାଇଛନ୍ତି । କ୍ୱାଟର ଫାଇନାଲ ମ୍ୟାଚରେ ୨୧-୧୩ ଏବଂ ୨୨-୨୦ରେ  ମ୍ୟାଚ ଜିତି ନେଇଛନ୍ତି ସିନ୍ଧୁ । ୫୬ ମିନିଟରେ ପିଭି ସିନ୍ଧୁ ପ୍ରତିପକ୍ଷକୁ ମାତ ଦେଇଛନ୍ତି ।

ଶୁକ୍ରବାର ସକାଳୁ ସକାଳୁ ମନ ଜିତିଥିଲେ ବକ୍ସିଂରେ ପଦାର୍ପଣ କରିଥିବା ଲଭଲିନା । ଲଭଲିନାଙ୍କ ବିପକ୍ଷରେ ଥିଲେ ଚାଇନିଜ ତାଇପେଇର ନିନ୍ ଚିନ୍ । ନିଜ ଉଚ୍ଚତାର ଲାଭ ଉଠାଇଥିଲେ ଲଭଲିନା । ପ୍ରଥମ ରାଉଣ୍ଡ ଓ ଦ୍ୱିତୀୟ ରାଉଣ୍ଡ ଜବରଦସ୍ତ ପ୍ରଦର୍ଶନ ବଳରେ ଲଭଲିନା ବିଜୟୀ ହୋଇଥଲେ । ୪-୧ ରେ ବିଜୟ ହେବା ସହ ଲଭଲିନା ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି  । ଏହାସହ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି ଲଭଲିନା । ଏହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି ।

ସେପଟେ ପୁରୁଷ ହକିରେ ଜାପାନକୁ ୫-୩ରେ ହରାଇ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ଭାରତ । ଏହା କ୍ରମାଗତ ଭାବେ ଭାରତର ତୃତୀୟ ବିଜୟ । ପୁଲ ‘ଏ’ରେ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ସେହିପରି ଟୋକିଓ ଟ୍ରାକରେ ଶୁକ୍ରବାର ଦିନ ଦୌଡ଼ିଥିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଦୂତୀଙ୍କ ପ୍ରଦର୍ଶନକୁ ଚାହିଁ ବସିଥିଲେ ଓଡ଼ିଶାବାସୀ । ଯଦିଓ ଦୂତୀ ତାଙ୍କ ହିଟରେ ସପ୍ତମ ସ୍ଥାନରେ ରହି ୧୦୦ ମିଟର ପ୍ରତିଯୋଗିତାରେ ବାଦ ପଡିଥିଲେ ଏବଂ ନିଜର ବ୍ୟକ୍ତିଗତ ରେକର୍ଡ ଠାରୁ ବହୁ ପଛରେ ରହିଥିଲେ, ତେବେ ଏତେ ବଡ଼ ପ୍ରତିଯୋଗିତାରେ ଦୂତୀଙ୍କ ଯୋଗଦାନ ଅନେକଙ୍କ ମନରେ ଖୁସି ଆଣିଦେଇଛି ।

ସେପଟେ ଏକକ ପ୍ରତିଯୋଗିତାକୁ ବାଦ ପଡିଛନ୍ତି ତୀରନ୍ଦାଜ ଦୀପିକା କୁମାରୀ । କ୍ୱାଟର ଫାଇନାଲରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଠାରୁ ହାରି ଯାଇଛନ୍ତି । ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଦୀପିକା ହାରି ଯାଇଥିବାରୁ ଭାରତରେ ନିରାଶା ଖେଳିଯାଇଛି । କାରଣ ତାଙ୍କ ଠାରୁ ଭାରତ ପଦକ ଆଶା ରହିଥିଲା ।