କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷରେ ଦମଦାର ଇନିଂସ ଖେଳିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ଟି-୨୦ ରାକିଂରେ ବଡ ଫାଇଦା । ଆଇସିସି ପକ୍ଷରୁ ସଦ୍ୟ ଜାରି ହୋଇଥିବା ରାକିଂରେ ଭାରତୀୟ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲଙ୍କୁ ଫାଇଦା ମିଳିଛି । ଟିମ୍ ଇଣ୍ଡିଆର ଏହି ଦୁଇ ଓପନର ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି । ୫ ମ୍ୟାଚରୁ ଜୟସ୍ୱାଲ ୧୪୧ ରନ କରିବା ଆଇସିସି ଟି-୨୦ ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ତାଲିକାର ୬ଷ୍ଠ ସ୍ଥାନକୁ ଉଠିଛନ୍ତି । ଆଇସିସିର ଶ୍ରେଷ୍ଠ-୧୦ ବ୍ୟାଟର ରାକିଂରେ ଟ୍ରାଭିସ ହେଡ୍ ୧ ନମ୍ବର ସ୍ଥାନରେ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିଭଳି ଜିମ୍ବାୱେ ବିପକ୍ଷ ସିରିଜରେ ଭାରତୀୟ ବ୍ୟାଟର ଭାବେ ସର୍ବାଧିକ ରନ୍ କରିଥିବା ଶୁଭମନ ଗିଲ ୩୬ଟି ସ୍ଥାନ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ଜିମ୍ବାୱେ ବିପକ୍ଷ ସିରିଜରେ ଗିଲ୍ ୧୭୦ ରନ୍ କରିଥିଲେ । ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ତାଲିକାରେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜୟସ୍ୱାଲ ୬ଷ୍ଠ ଓ ଋତୁରାଜ ଗାଏକ୍ୱାର୍ଡ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିଭଳି ଦିନିକିଆ ଓ ଟି-୨୦ରେ ଭାରତ ନମ୍ବର-୧ ଦଳ ଭାବେ ସ୍ଥାନ ବଜାୟ ରଖିଥିବା ବେଳେ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ରହିଛି ।