କନକ ବ୍ୟୁରୋ : ୬ ଫେବ୍ରୁଆରୀରେ ନୂଆ ଇତିହାସ ରଚିବ ଟିମ୍ ଇଣ୍ଡିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିବା ସହ ନୂଆ ରେକର୍ଡ ହାସଲ କରିବ ଭାରତୀୟ ଟିମ୍ । କାରଣ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ଖେଳିବା ସହ ବିଶ୍ୱର ପ୍ରଥମ ଦେଶ ଭାବେ ୧୦୦୦ ତମ ଦିନିକିଆ ଖେଳିବାର ରେକର୍ଡ କରିବ ଟିମ୍ ଇଣ୍ଡିଆ । ସବୁଠୁ ବଡ କଥା ହେଲା, ଏହି ଉପଲବ୍ଧି ହାସଲ କରିବାକୁ ଭାରତକୁ ୪୮ ବର୍ଷ ଅପେକ୍ଷା କରିବାକୁ ପଡିଛି । ତେବେ ଏହା ପୂର୍ବରୁ ଇଂଲଣ୍ଡ ମଧ୍ୟ ୧୦୦୦ ତମ ମ୍ୟାଚ୍ ଖେଳି ସାରିଛି । କିନ୍ତୁ ଇଂଲଣ୍ଡ ଟେଷ୍ଟ ଫର୍ମାଟରେ ଏହି ରେକର୍ଡ ହାସଲ କରିଛି । ଏବେ ସୁଦ୍ଧା ଇଂଲଣ୍ଡ ୧୦୪୫ଟି ଟେଷ୍ଟ ମ୍ୟାଚ୍ ଖେଳିଛି ।

Advertisment

ଭାରତ ପ୍ରଥମେ ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲା । ସେତେବେଳେ ଅଜିତ୍ ୱାଡେକର ଟିମର ଅଧିନାୟକ ରହିଥିଲେ । ଭାରତ ପ୍ରଥମ ୧୦୦ ବିଜୟ ହାସଲ କରିବାକୁ ୧୯ ବର୍ଷ ସମୟ ନେଇଥିଲା । ସେହିଭଳି ୫୦୦ ତମ ବିଜୟ ପାଇଁ ୪୫ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଏବେ ସୁଦ୍ଧା ୨୪୨ ଜଣ ଖେଳାଳୀ ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ୨୪୨ ନମ୍ବର ଖେଳାଳୀ ଭାବେ ଭେଙ୍କଟେଶ ଆୟର ଟିମରେ ସାମିଲ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭେଙ୍କଟେଶ ଆୟର ଦିନିକିଆ ଡେବ୍ୟୁ କରିଥିଲେ ।

୧୯୭୪ରେ ଯେତେବେଳେ ପ୍ରଥମେ ଦିନିକିଆରେ ଭାରତ ଡେବ୍ୟୁ କରିଥିଲା ସେତେବେଳେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା । ୧୦୦ ତମ ମ୍ୟାଚରେ ମଧ୍ୟ ଭାରତକୁ ପରାଜିତ ହେବାକୁ ପଡିଥିଲା । ତେବେ ୯୦୦ ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଜୟୀ ହୋଇଥିଲା । ସେତେବେଳେ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିଲେ ମହେନ୍ଦ୍ର ସିଂ ଧୋନୀ । ଏବେ ୧୦୦୦ ତମ ମ୍ୟାଚରେ ମଧ୍ୟ ଭାରତ ବିଜୟୀ ହେଉ ତାହା ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।