ଆତଙ୍କରେ ଜିଉଁଛି ପାକିସ୍ତାନ । ୟୁଏଇରେ ପ୍ରତିକ୍ରିୟା ରଖିଲେ ପାକ୍ ବୈଦେଶିକ ମନ୍ତ୍ରୀ । କହିଲେ, ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତ କରୁଛି ଷଡଯନ୍ତ୍ର

176

କନକ ବ୍ୟୁରୋ : ଆତଙ୍କିତ ପାକିସ୍ତାନ । ଆଉ ଥରେ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍ । ଏଭଳି ଆଶଙ୍କା ପ୍ରକାଶ କରି ଭୟଭୀତ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ । ଶୁକ୍ରବାର ୟୁଏଇରେ ସେ କହିଛନ୍ତି ଭାରତ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ସର୍ଜିକାଲଷ୍ଟ୍ରାଇକ୍ର ପ୍ରମାଣ ପାକିସ୍ତାନ ପାଖରେ ରହିଛି । ଗୁପ୍ତଚର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଭାରତ ପାକିସ୍ତାନ ଉପରେ ସର୍ଜିକାଲ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହା ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି କୁରେଶୀ ।

ଏପରିକି ଭାରତର ନିଜ ସହଯୋଗୀମାନଙ୍କର ସହମତିକୁ ଅପେକ୍ଷା କରିଥିବା ନେଇ ସେ ଜାଣିଥିବା କହିଛନ୍ତି । ଭାରତରେ ସୃଷ୍ଟି ହୋଇଥିବା ଆଭ୍ୟନ୍ତରୀକ ଅଶାନ୍ତିଠାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଯୋଜନା ହେଉଥିବା ପାକ୍ ମନ୍ତ୍ରୀ ଜଣକ କହିଛନ୍ତି । ଏପରିକି ଶାନ୍ତି ଏକ ମିଳିତ ଉଦ୍ୟମ ଏବଂ ଏହା ଏକପାଖିଆ ଭାବେ ହୋଇପାରେ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କ୍ୟୁରେଶୀ । ତେବେ ନିଜର ସମସ୍ୟାଠୁ ନଜର ହଟାଇବା ପାଇଁ ଭାରତ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ଅବଶ୍ୟ ପାକିସ୍ତାନ ପକ୍ଷରୁ ଏଭଳି ବୟାନ ଆସିବା ନୂଆ ନୁହେଁ ।

ଅନ୍ୟପଟେ ପାକିସ୍ତାନର ଏକ ପ୍ରମୁଖ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ୍ ଲେଖିଛି, ଦିଲ୍ଲୀରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନରୁ ନଜର ହଟାଇବା ପାଇଁ ଭାରତ କିଛି ବଡ ପଦକ୍ଷେପ ନେଇ ପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ତେବେ ଏହାକୁ ଦୃଷ୍ଟିର ରଖି ପାକିସ୍ତାନ ସେନା ଭାରତ ସୀମାରେ ସତର୍କ ରହିଛି ।

୨୦୧୬ରେ ଉରି ଆକ୍ରମଣ ପରେ ପିଓକେ ଭିତରକୁ ପଶି ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଶିବିର ଧ୍ୱଂସ କରିଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକ୍ରେ ବହୁ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ବର୍ଷ ପୁଲବାମା ଆକ୍ରମ ପରେ ମଧ୍ୟ ଭାରତ ଏୟାରଷ୍ଟ୍ରାଇକ୍ ଜରିଆରେ ବାଲାକୋଟ୍ରେ ଆତଙ୍କି ଶିବିର ଉପରେ ଆକ୍ରମଣ କରିଥିଲା ।