ବଦଳିବ ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ । ସେହିଦିନ ନବରାତ୍ରୀ ପଡୁଥିବାରୁ ସୁରକ୍ଷା ଯୋଗାଇବାକୁ ଅସମର୍ଥତା ପ୍ରକାଶ କଲା ଅହମ୍ମଦାବାଦ ପୁଲିସ

273

କନକ ବ୍ୟୁରୋ : ବଦଳିବ ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ । ସୁରକ୍ଷା ଦୃଷ୍ଟିରୁ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ ପାଇଁ ନିଷ୍ପତି । ଦିନିକିଆ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାର ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାର ଅଛି । ମ୍ୟାଚ ଦେଖିବାକୁ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବାର ଅଛି । କିନ୍ତୁ ସେହିଦିନ ଠାରୁ ନବରାତ୍ରୀ ଆରମ୍ଭ ହେଉଥିବାରୁ ଅହମ୍ମଦାବାଦରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଅଛି । ଏକ ସାଙ୍ଗରେ ଦୁଇଟି ବଡ଼ ବଡ଼ କାର୍ଯ୍ୟକ୍ରମକୁ ସୁରକ୍ଷା ପ୍ରଦାନ କରିବାକୁ ଅହମ୍ମଦାବାଦ ପୁଲିସ ଅକ୍ଷମତା ପ୍ରକାଶ କରିଛି । ଏଥିସହ ମ୍ୟାଚର ତାରିଖ ବଦଳାଇବାକୁ ବିସିସିଆଇକୁ ଗୁଜରାଟ ପୁଲିସ ପରାମର୍ଶ ଦେଇଛି । ଆଉ ପୁଲିସର ପରାମର୍ଶ କ୍ରମେ ଅକ୍ଟୋବର ୧୫ ପରିବର୍ତେ ଅକ୍ଟୋବର ୧୪ ତାରିଖରେ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । କିନ୍ତୁ ପାକିସ୍ତାନର ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଶ୍ରୀଲଙ୍ଗା ସହ ମ୍ୟାଚ ଅଛି । ଏହାର ମାତ୍ର ୪୮ ଘଂଟା ପରେ ଭାରତ ସହ ହାଇ ଭୋଲଟେଜ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଆଇସିସି ଏବଂ ପିସିବି ସହ ଆଲୋଚନା ପରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତି ନେବ ବୋଲି କୁହାଯାଉଛି ।