ପୁଲୱାମା ଆକ୍ରମଣ ପରେ ପାକିସ୍ତାନରେ ଫସିରହିଛନ୍ତି ଏହି ମହିଳା ! ବୈଦେଶିକ ମନ୍ତ୍ରୀଙ୍କୁ ଗୁହାରି କରି ବୋହୂକୁ ଘରକୁ ଫେରାଇ ଆଣିବା ପାଇଁ ନେହୁରା ହେଲେ ଶାଶୂ ।

237

ଫେବୃଆରି ୧୪ ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଭାରତ-ପାକ୍ ମଧ୍ୟରେ ଥିବା ସଂପର୍କ ଆହୁରି ତିକ୍ତ ହୋଇ ଯାଇଥିଲା । ଯାହାର ପ୍ରଭାବ ଏବେ ଜଣେ ପାକିସ୍ତାନୀ ମହିଳାଙ୍କ ଉପରେ ପଡ଼ିଥିବା ସାମ୍ନାକୁ ଆସିଛି । ବାପାଙ୍କ ଦେହ ଖରାପ ଥିବାରୁ ପାକିସ୍ତାନରେ ଦେଖିବାକୁ ପହଞ୍ଚିଥିଲେ ମହିଳା । କିନ୍ତୁ ତାଙ୍କ ଭିସାର ସମୟ ଅବଧି ସରି ଯାଇଥିବାରୁ ସେ ଭାରତ ଫେରି ପାରୁ ନ ଥିବା କହିଛନ୍ତି ମହିଳାଙ୍କ ଶାଶୁ । ଏ ନେଇ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ ମାଗିଛନ୍ତି ।

ମହିଳାଙ୍କ ଶାଶୁଙ୍କ କହିବା ଅନୁଯାୟୀ, ଆମେ ହାଇଦ୍ରାବାଦରେ ରହୁଥିବା ବେଳେ ମୋ ପୁଅର ବିବାହ ୨୦୧୧ରେ ପାକିସ୍ତାନରେ ହୋଇଥିଲା । ଡିସେମ୍ବର ୧୮, ୨୦୧୮ରେ ମୋ ବୋହୂ ନିଜ ରୋଗଗ୍ରସ୍ତ ବାପାକୁ ଦେଖିବା ପାଇଁ ପାକିସ୍ତାନ ଯାଇଥିବା ବେଳେ ଫେବୃଆରିରେ ଫେରିବାର ଯୋଜନା ରହିଥିଲା । କିନ୍ତୁ ଭିସାର ଅବଧି ସରି ଯାଇଥିବା ଦେଖି ସେ ଭିସା ପାଇଁ ଆବେଦନ କରିଥିଲେ । କିନ୍ତୁ ପରେ ପରେ ପୁଲଓ୍ଵାମାରେ ଆକ୍ରମଣ ହେବାରୁ ତାଙ୍କର ଭିସା ଆବେଦନ ଉପରେ କୌଣସି କାର‌୍ୟ୍ୟ ଆଗକୁ ବଢ଼ିନାହିଁ । ଏ ପର‌୍ୟ୍ୟନ୍ତ ଭିସା ନ ମିଳିଥିବାରୁ ସେ ହାଇଦ୍ରାବାଦ୍ ଫେରି ପାରି ନାହାନ୍ତି । ଯାହା ପାଇଁ ମୁଁ ଏବେ ସୁଷମା ସ୍ୱରାଜଙ୍କୁ ଏ ନେଇ ସାହାଯ୍ୟ ମାଗିଛି ବୋଲି ସେ କହିଛନ୍ତି ।