କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ୍ ଚାଲିଛି । ଆଉ ଟୁର୍ଣ୍ଣାମେଂଟର ଯେଉଁ ମ୍ୟାଚ୍କୁ ଫ୍ୟାନ ଅପେକ୍ଷା କରି ରହିଥିଲେ, ତାହା କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ୍ ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ମଧ୍ୟାହ୍ନ ୨ଟା ବେଳେ ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଯେତେବେଳେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବେ, ସେତେବେଳର ଦୃଶ୍ୟ ଅଦ୍ଭୁତ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପୂର୍ବରୁ ହୁୁୁଏତ ଏତେ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହୋଇନାହିଁ । କିଏ ଜିତିବ, କିଏ ହାରିବ, ତାହା ତ ପ୍ରଦର୍ଶନ ଉପରେ ନିର୍ଭର କରିବ । କିନ୍ତୁ ଉଭୟ ଦଳ ମଧ୍ୟରେ ଏକ ରୋମାଂଚକର ମ୍ୟାଚ୍ ହେବା ନେଇ ଆଶାବାଦୀ ଅଛନ୍ତି ଫ୍ୟାନ୍ । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅହମ୍ମଦାବାଦରେ ପହଂଚିଛନ୍ତି ।

Advertisment

ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଏବଂ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଛି । ସେହିପରି ପାକିସ୍ତାନ ଯଥାକ୍ରମେ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଅହମ୍ମଦାବାଦରେ ପାକିସ୍ତାନ ବୋଲିଂ ଆଟାକ୍ ବନାମ ଭାରତୀୟ ବ୍ୟାଟିଂର ମୁକାବିଲା ଦେଖିବାକୁ ମିଳିପାରେ । ଅଧିନାୟକ ରୋହିତ୍ ଶର୍ମା, ଆଫଗାନିସ୍ତାନ ବିପକ୍ଷରେ ଶତକ ମାରି ଫର୍ମକୁ ଫେରିଛନ୍ତି । ତେବେ ସମସ୍ତଙ୍କ ନଜର ରହିବ ଶୁଭମନ ଗିଲଙ୍କ ଉପରେ । ଡେଙ୍ଗୁରେ ଆକ୍ରାନ୍ତ ହେବା ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ ଏହି ଯୁବ ଓପ୍ନର । ଆଜି ମ୍ୟାଚରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ପାକିସ୍ତାନ ବିପକ୍ଷରେ ବିରାଟ୍ କୋହଲି ନିଜର ସୁପର୍ ଫର୍ମ ବଜାୟ ରଖିବାକୁ ଚାହିଁବେ । ବୋଲିଂରେ ଯଶପ୍ରୀତ ବୁମରାଙ୍କ ଉପରେ ରହିବ ସମସ୍ତ ନଜର । ସେହିପରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବ୍ୟାଟ୍ରୁ ପ୍ରଥମ ଦୁଇଟି ମ୍ୟାଚ୍ରେ ସେଭଳି ରନ୍ ବାହାରି ନାହିଁ । ଭାରତ ବିପକ୍ଷରେ ସେ ଫର୍ମକୁ ଫେରିବେ ବୋଲି ଆଶାବାଦୀ ଅଛନ୍ତି । ସେପଟେ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ୱକପ୍ ରେକର୍ଡ ବଜାୟ ରଖୁଛି କି ନାହିଁ, ତାହା ମ୍ୟାଚ୍ ପରେ ଜଣାପଡ଼ିବ ।

କ’ଣ କହୁଛି ରେକର୍ଡ?
- ଦିନିକିଆ ବିଶ୍ୱକପ୍ରେ ପାକିସ୍ତାନଠୁ କେବେବି ହାରିନାହିଁ ଭାରତ
- ବିଶ୍ୱକପ୍ରେ ୭ଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ
- ଭାରତ ସାତୋଟି ଯାକ ମ୍ୟାଚ୍ ଜିତି ଅପରାଜେୟ ରହିଛି
- ଶେଷଥର ୨୦୧୯ ବିଶ୍ୱକପ୍ରେ ପାକିସ୍ତାନକୁ ହରାଇଥିଲା ଭାରତ
- ନିକଟରେ ଏସିଆ କପ୍ରେ ମଧ୍ୟ ଭାରତ ଠାରୁ ହାରିଥିଲା ପାକିସ୍ତାନ
- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଛି ୧୩୪ ମ୍ୟାଚ୍
- ପାକିସ୍ତାନ ୭୩ ଏବଂ ଭାରତ ୫୬ ମ୍ୟାଚ୍ ଜିତିଛି
- ଶେଷଥର ପାଇଁ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ହରାଇଥିଲା ପାକିସ୍ତାନ