କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର । ଏଣିକି ପ୍ରତିବର୍ଷ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା ।

462

କନକ ବ୍ୟୁରୋ : କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଏଣିକି ପ୍ରତିବର୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମହାଲଢେଇ । ମଙ୍ଗଳବାର ବସିଥିବା ଆଇସିସିର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏପରିକି ୨୦୨୧ରୁ ୨୦୩୧ ପର୍ଯ୍ୟନ୍ତ ପ୍ରତିବର୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ବିଭିନ୍ନ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହେଉନଥିବା ବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ କିନ୍ତୁ ଦୁଇ ଦେଶ ମଧ୍ୟରେ ଦମଦାର ମୁକାବିଲା ହେବ ।

ଆସନ୍ତା ୧୦ ବର୍ଷ ଭିତରେ ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଆଇସିସି । ଆଇସିସିର ନୂଆ ଯୋଜନା ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଥରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ସେହିପରି ପୂର୍ବଭଳି ପ୍ରତି ୪ ବର୍ଷରେ ଥରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏହା ଛଡା ପ୍ରତି ଦୁଇ ବର୍ଷରେ ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଏବଂ ଚାରିବର୍ଷରେ ଥରେ ଚାମ୍ପିୟନ୍ସ ଟ୍ରଫିର ମଧ୍ୟ ଆୟୋଜନ କରିବ ଆଇସିସି । ଅର୍ଥାତ ଏହି ୧୦ ବର୍ଷ ମଧ୍ୟରେ ୬ଟି ଟି-୨୦ ବିଶ୍ୱକପ୍, ୩ଟି ଦିନିକିଆ ବିଶ୍ୱକପ୍, ୬ଟି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ୨ଟି ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।