କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ତାରିଖ ଘୋଷଣା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଖାସକରି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ ରହିଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବିଶ୍ୱକପକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଅକ୍ଟୋବର ୧୫ ନୁହେଁ ବରଂ ଅକ୍ଟୋବର ୧୪ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍ । ବିଶ୍ୱକପ ମ୍ୟାଚକୁ ନେଇ ଘୋଷିତ କାର୍ଯ୍ୟସୂଚୀରେ ସାମାନ୍ୟତମ ପରିବର୍ତ୍ତନ ହୋଇପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ମୁକାବିଲା । କିନ୍ତୁ ନବରାତ୍ରୀର ପ୍ରଥମ ଦିନରେ ଏହି ମୁକାବିଲା ଖେଳାଯିବ । ନବରାତ୍ରୀ କାରଣରୁ ଗୁଜୁରାଟର ବିଭିନ୍ନ ସ୍ଥାନରେ ଗରବା କାର୍ଯ୍ୟକ୍ରମର ଆୟୋଜନ ହେବ । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ମ୍ୟାଚ୍ ତାରିଖକୁ ବଦଳାଇବାକୁ ବିସିସିଆଇ ପ୍ରସ୍ତାବ ଦେଇଛନ୍ତି ସୁରକ୍ଷା ଏଜେନ୍ସି ।

ଜାତୀୟ ଗଣମାଧ୍ୟମକୁ ବିସିସିଆଇର ଜଣେ ଅଧିକାରୀ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଆମ ପାଖରେ ଥିବା ବିକଳ୍ପ ବାବଦରେ ଆମେ ବିଚାର କରୁଛୁ, ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବୁ । ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଭାରତ-ପାକିସ୍ତାନ ଭଳି ହାଇପ୍ରୋଫାଇଲ ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦରେ ଲକ୍ଷାଧିକ ଲୋକ ଏକାଠି ହେବେ । ଅନ୍ୟପଟେ ନବରାତ୍ରୀ କାରଣରୁ ପୋଲିସ ସହରର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ରଖିବ । ତେଣୁ ମ୍ୟାଚ୍, ଷ୍ଟାଡିୟମ ଓ ଉଭୟ ଦଳର ଖେଳାଳୀଙ୍କର ଯେପରି ସୁରକ୍ଷା ଉପରେ ଧ୍ୟାନ ଦିଆଯାଇପାରିବ ତାହା ଉପରେ ଦୃଷ୍ଟି ଦେବୁ ।

ଆଇସିସି ପକ୍ଷରୁ ବିଶ୍ୱକପ ପାଇଁ ତାରିଖ ଘୋଷଣା ପରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅହମ୍ମଦାବାଦର ହୋଟେଲ ଗୁଡିକ ବୁକ୍ ହୋଇଥିଲା । ସେହିଭଳି ଏହି ତାରିଖରେ ଅହମ୍ମଦାବାଦ ପାଇଁ ଫ୍ଲାଇଟ ବୁକିଂ ମଧ୍ୟ କରିଥିଲେ କ୍ରିକେଟପ୍ରେମୀ । ଅଧିକାଂଶ ହୋଟେଲ ବୁକିଂ ନନ ରିଫଣ୍ଡବେଲ ରହିଥିଲା । ଅଥାର୍ତ ପରେ ଟିକେଟ ବାତିଲ କଲେ ଟଙ୍କା ଫେରସ୍ତ ମିଳିବ ନାହିଁ । ଏଭଳିସ୍ଥଳେ ଯେଉଁ କ୍ରିକେଟପ୍ରେମୀ ପୂର୍ବରୁ ହୋଟେଲ ଓ ଫ୍ଲାଇଟ ବୁକ୍ କରିଥିଲେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ ।

ଏସବୁ ଭିତରେ ୨୭ ଜୁଲାଇରେ ବିଶ୍ୱକପ ଆୟୋଜନ ପାଇଁ ସୁଯୋଗ ପାଇଥିବା ରାଜ୍ୟ କ୍ରିକେଟ ସଂଘଙ୍କର ବୈଠକ ଦିଲ୍ଲୀରେ ହେବାକୁ ଯାଉଛି । ବିସିସିଆଇ ସଚିବ ଜୟ ଶାହ ଏହି ବୈଠକ ଡାକିଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ନେଇ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଆଲୋଚନା ହେବ ଏବଂ ନୂଆ ତାରିଖ ଘୋଷଣା ହେବା ନେଇ ସମ୍ଭାବନା ରହିଛି । ଚଳିତଥର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୪ଟି ମ୍ୟାଚ୍ ଖେଳାଯିବା ନେଇ ସ୍ଥିର ହୋଇଛି । ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ସମେତ ଉଦଘାଟନୀ ଓ ଫାଇନାଲ ମୁକାବିଲା ଖେଳାଯିବ ।