କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ଦେଖିବ ପୂରା ବିଶ୍ୱ । ପ୍ରାୟ ୨ ବର୍ଷ ପରେ ଟି-୨୦ ବିଶ୍ୱକପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଥିବା ବେଳେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । କେବଳ କ୍ରିକେଟପ୍ରେମୀ ଯେ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି ତାହା ନୁହେଁ ବରଂ ଆଇସିସି ମଧ୍ୟ ଏହି ହାଇଭୋଲଟେଜ ମୁକାବିଲା ଚାହିଁ ରହିଛି । କାରଣ ଅନ୍ୟ ମୁକାବିଲା ତୁଳନାରେ ଭାରତ-ପାକିସ୍ତାନ ମ୍ୟାଚରେ ଅଧିକ ରୋଜଗାର କରିଥାଏ ଆଇସିସି । ଟିକେଟ ବିକ୍ରି ଠାରୁ ଆରମ୍ଭ କରି ବିଜ୍ଞାପନ ବାବଦକୁ କୋଟି କୋଟି ଟଙ୍କା ଆୟ କରିଥାଏ ଆଇସିସି । ତେବେ ଭାରତ-ପାକିସ୍ତାନ ପକ୍ଷରୁ ଖେଳୁଥିବା ଖେଳାଳୀ ମ୍ୟାଚ୍  ପିଛା କେତେ ଟଙ୍କା ରୋଜଗାର କରିଥାନ୍ତି, ସେ ବାବଦରେ ଜାଣିଛନ୍ତି କି? ଯେହେତୁ ବିସିସିଆଇ ଧନୀ କ୍ରିକେଟ ବୋର୍ଡ ଭାବେ ଜଣାଶୁଣା ସେଥିପାଇଁ ଭାରତୀୟ ଖେଳାଳୀଙ୍କୁ ମ୍ୟାଚ୍ ପିଛା ମନ ଖୁସି କରିଦେବା ଭଳି ଟଙ୍କା ଦେଇଥାଏ । କିନ୍ତୁ ପାକିସ୍ତାନୀ କ୍ରିକେଟରଙ୍କ ମ୍ୟାଚ୍ ପିଛା ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

Advertisment

ପାକିସ୍ତାନ କ୍ରିକେଟ ବୋର୍ଡ ଏବେ ବେଶ ଦୁର୍ଦ୍ଦିନ ସମୟ ଦେଇ ଗତି କରୁଛି । କାରଣ ଦୀର୍ଘ ବର୍ଷ ହେବ ପାକିସ୍ତାନ ମାଟିରେ ଖେଳାଯାଇନାହିଁ ଅନ୍ତର୍ଜାତୀୟ କ୍ରିକେଟ । ଯାହାଦ୍ୱାରା ବୋର୍ଡକୁ ବଡଧରଣର ଆର୍ଥିକ କ୍ଷତି ସହିବାକୁ ପଡିଛି । ଶ୍ରୀଲଙ୍କା ଖେଳାଳୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କୌଣସି ଦେଶର ଖେଳାଳୀ ଆସୁନଥିଲେ । ଏଭଳି ସ୍ଥଳେ ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବାକୁ ରାଜି ହୋଇଥିଲା ନ୍ୟୁଜିଲାଣ୍ଡ । ତେବେ ମ୍ୟାଚ୍ ପୂର୍ବରୁ ସୁରକ୍ଷା କାରଣରୁ ପଡିଆକୁ ଓହ୍ଲାଇନଥିଲା ନ୍ୟୁଜିଲାଣ୍ଡ । ଯାହା ପାକିସ୍ତାନରେ ପୁଣିଥରେ କ୍ରିକେଟ ମ୍ୟାଚ୍ ଆୟୋଜନର ଅପେକ୍ଷାକୁ ଆହୁରି ବଢାଇ ଦେଇଥିଲା । ପାକିସ୍ତାନ ମାଟିରେ ଖେଳ ହୋଇଥିଲେ କେବଳ ଯେ ବୋର୍ଡ ଲାଭବାନ ହୋଇଥାନ୍ତା ତାହା ନୁହେଁ ପାକିସ୍ତାନୀ ଖେଳାଳୀ ମଧ୍ୟ ମାଲେମାଲ ହୋଇଥାନ୍ତା । କିନ୍ତୁ ପାକିସ୍ତାନ କ୍ରିକେଟର ନିଜର ଦରମା ବଢାଇବାକୁ ବାରମ୍ବାର ବୋର୍ଡ ନିକଟରେ ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।

ବାରମ୍ବାର ଦାବି କରିବା ପରେ ଗତ ଜୁଲାଇରେ ଖେଳାଳୀଙ୍କ ଦରମା ବାବଦକୁ କିଛି ଟଙ୍କା ବଢାଇଥିଲା ବୋର୍ଡ । କିନ୍ତୁ ଅନ୍ୟ ଦେଶ ତୁଳନାରେ ପାକିସ୍ତାନ ଖେଳାଳୀଙ୍କ ଦରମା ଯଥେଷ୍ଟ କମ ରହିଛି । ଖାସକରି ଭାରତୀୟ କ୍ରିକେଟରଙ୍କ ଦରମା ତୁଳନାରେ ପାକିସ୍ତାନ କ୍ରିକେଟରଙ୍କ ଦରମା ଭିତରେ ଆକାଶ ପାତାଳ ଫରକ ରହିଛି । ଭାରତ ଭଳି ପାକିସ୍ତାନ କ୍ରିକେଟରଙ୍କୁ ମଧ୍ୟ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଦିଆ ଯାଏ । କିନ୍ତୁ ଗ୍ରେଡ ଏରେ ଥିବା ଖେଳାଳୀଙ୍କୁ ବାର୍ଷିକ ୫୨ ଲକ୍ଷ ଟଙ୍କା ମିଳିଥାଏ । ଅନ୍ୟପଟେ ଭାରତର ଏ ଗ୍ରେଡ ଖେଳାଳୀଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ । ଭାରତ ଭଳି ପାକିସ୍ତାନରେ ମଧ୍ୟ ୍ନ ଗ୍ରେଡ ଅନୁଯାୟୀ ଖେଳାଳୀଙ୍କୁ  ଦରମା ମିଳିଥାଏ । ଟେଷ୍ଟ ମ୍ୟାଚ୍ ପାଇଁ ୩.୫ ଲକ୍ଷ, ଦିନିକିଆ ମ୍ୟାଚ୍ ପାଇଁ ୨,୨ ଲକ୍ଷ,  ଟି-୨୦ ମ୍ୟାଚ୍ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ମିଳିଥାଏ । ଯଦି ସି ଗ୍ରେଡର କୌଣସି ଖେଳାଳୀ ଥାନ୍ତି ତେବେ ସେମାନଙ୍କୁ ଏହା ଠାରୁ ଆହୁରି କମ ଟଙ୍କା ମିଳିଥାଏ । ଏହି ହିସାବରେ ଦେଖିବାକୁ ଗଲେ ଭାରତର ଘରୋଇ କ୍ରିକେଟ ମ୍ୟାଚ୍ ଖେଳୁଥିବା ଖେଳାଳୀ ଅଧିକ ଟଙ୍କା ଦରମା ପାଇଥାନ୍ତି ।

ଅନ୍ୟପଟେ ଭାରତୀୟ ଖେଳାଳୀ ମଧ୍ୟ ଗ୍ରେଡ ଅନୁଯାୟୀ ଟଙ୍କା ପାଇଥାନ୍ତି । ଏ ଗ୍ରେଡରେ ଥିବା ଖେଳାଳୀଙ୍କୁ ୭ କୋଟି, ବି ଗ୍ରେଡରେ ଥିବା ଖେଳାଳୀଙ୍କୁ ୫ କୋଟି ଓ ସି ଗ୍ରେଡରେ ଥିବା ଖେଳାଳୀଙ୍କୁ ୩ କୋଟି ଟଙ୍କା ମିଳିଥାଏ । ସେହିଭଳି ଟେଷ୍ଟ ମ୍ୟାଚ୍ ପାଇଁ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଦିଆଯାଏ । ଏହାବାଦ୍ ଟିମ୍ ଇଣ୍ଡିଆର ଖେଳାଳୀଙ୍କୁ ବୋନସ ମଧ୍ୟ ଦିଆଯାଏ । ଭଲ ଖେଳ ପ୍ରଦର୍ଶନ ଯେପରିକି ଶତକ, ଦ୍ୱିଶତକ ଓ ୫ରୁ ଅଧିକ ୱିକେଟ ନେଉଥିବା ଖେଳାଳୀଙ୍କୁ ବୋନସ ଆକାରରେ ଟଙ୍କା ମିଳିଥାଏ ।