ଆଇପିଏଲରୁ ବାଦ୍ ପଡିଲେ ମହମ୍ମଦ ସାମି, ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଡିଆକୁ ଓହ୍ଲାଇବେ ଋଷଭ ପନ୍ତ ।

402

କନକ ବ୍ୟୁରୋ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ । ତେବେ ଆଇପିଏଲ ଆରମ୍ଭ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ବଡ ଝଟକା । ଗୁଜୁରାଟର ଷ୍ଟାର ବୋଲର ମହମ୍ମଦ ସାମି ଆଗାମୀ ଆଇପିଏଲରୁ ବାଦ୍ ପଡିଛନ୍ତି । ଆହତ କାରଣରୁ ସାମିଙ୍କୁ ଆଇପିଏଲରୁ ବିଶ୍ରାମ ଦିଆଯାଇଛି । ବିସିସିଆଇ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ।

ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଆସନ୍ତା ସେପ୍ଟେମ୍ବର ମାସରେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ସାମି ପୁଣିଥରେ ଟିମକୁ କମବ୍ୟାକ୍ କରିପାରନ୍ତି । ଜୟ ଶାହଙ୍କ ଏହି ବୟାନକୁ ନେଇ ସାମିଙ୍କ ଟି-୨୦ ବିଶ୍ୱକପ ଖେଳିବା ଉପରେ ପ୍ରଶ୍ନବାଚୀ ଛିଡା କରିଛି । କାରଣ ଆସନ୍ତା ଜୁନ୍ ମାସରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ସାମିଙ୍କ ସର୍ଜରୀ ଶେଷ ହୋଇଥିବା ବେଳେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷରେ ସାମିଙ୍କ ଖେଳିବା ନେଇ ସମ୍ଭାବନା ରହିଛି । ଶେଷଥର ପାଇଁ ସାମି ୨୦୨୩ ବିଶ୍ୱକପରେ ଭାରତ ପକ୍ଷରୁ ଖେଳିଥିଲେ ।

ଅନ୍ୟପଟେ ଋଷଭ ପନ୍ତଙ୍କୁ ନେଇ ଖୁସି ଖବର ଦେଇଛନ୍ତି ଜୟ ଶାହ । ଋଷଭ ପନ୍ତ ଆଇପିଏଲ ଜରିଆରେ ପୁଣିଥରେ ମୈଦାନକୁ କମବ୍ୟାକ୍ କରିବାକୁ ପ୍ରସ୍ତୁତ ଅଛନ୍ତି । ପନ୍ତ ଏବେ ଭଲ ବ୍ୟାଟିଂ କରୁଥିବା ବେଳେ ଭଲ କିପିଂ ମଧ୍ୟ କରୁଛନ୍ତି । ଯଦି ପନ୍ତ ଟି-୨୦ ବିଶ୍ୱକପରେ ଖେଳନ୍ତି ତେବେ ଏହା ଟିମ୍ ପାଇଁ ବହୁତ ଭଲ ହେବ । କାରଣ ପନ୍ତ ଟିମ୍ ଇଣ୍ଡିଆ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ । ଯଦି ସେ ୱିକେଟକିପିଂ କରିବେ ତେବେ ବିଶ୍ୱକପରେ ଖେଳିବାର ସମ୍ଭାବନା ରହିଛି । କିନ୍ତୁ ଆଇପିଏଲରେ ତାଙ୍କର ପ୍ରଦର୍ଶନ କେମିତି ରହିବ ତାହା ଉପରେ ନଜର ରହିବ ।