କନକ ବ୍ୟୁରୋ : ବିଶ୍ୱରେ ସବୁଠାରୁ ଶକ୍ତିମାନ ରାଷ୍ଟ୍ର ହେବାକୁ ଚୀନ ଚେଷ୍ଟା କରିଛି । ବିଶେଷ ଭାବେ ସୀମା ସମସ୍ୟା ନେଇ ବିଶ୍ୱର ଅନେକ ରାଷ୍ଟ୍ରସହ ଶତ୍ରୁତା ସୃଷ୍ଟି କରିଛି ଚୀନ । ଏନେଇ ବିଭିନ୍ନ ସମୟରେ ଛୋଟ ବଡ ରାଷ୍ଟ୍ରମାନଙ୍କ ଉପରେ ବି ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଛି । ଏଭଳି ମନୋଭାବ ଯୋଗୁଁ ଆଜି ସାରା ବିଶ୍ୱରେ ନିନ୍ଦିତ ହେଉଛି ଚୀନ । କେବଳ ନିନ୍ଦିତ ନୁହେଁ ଏଭଳି ଚିନ୍ତାଧାରା ପାଇଁ ଏବେ ପାକିସ୍ତାନ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶ ଚୀନ ଠାରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । କେବଳ ଅସ୍ତ୍ର ଶସ୍ତ୍ର ନୁହେଁ ଅନ୍ୟ ଦେଶମାନେ ବି ଚାଇନାରୁ ଆମଦାନୀ କରୁଥିବା ସାମଗ୍ରୀକୁ ହ୍ରାସ କରିବାରେ ଲାଗିଛନ୍ତି । ‘ଫରେନ ପଲିସି’ ର ଏକ ରିପୋର୍ଟ ମୁତାବକ ଗତ ମାସରେ ଫିଲିପାଇନ୍ସରେ ଚୀନର କାର୍ଯ୍ୟକଳାପ ଯୋଗୁଁ ଅନେକ ଦେଶ ଚୀନ ସହିତ ବ୍ୟବସାୟ କରିବାକୁ ରାଜି ହେଉ ନାହାନ୍ତି ।
କହିରଖୁ କି ଗତମାସ ଚୀନ ନୌସେନା ଜାହଜ ବିନା ମଞ୍ଜୁରୀରେ ଫିଲିପାଇନ୍ସ ସମୁଦ୍ର ଭିତରେ ପ୍ରବେଶ କରିଥିଲା । ସେହିପରି ଲଦାଖରେ ଭାରତ ସହ ସୀମା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଗିଡି ଯାଇଛି। ଭାରତ ଅନ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିବାବେଳେ ଚୀନ୍ ଠାରୁ ସାମରିକ ଉପକରଣ କ୍ରୟ କରୁନାହିଁ ।
ରିପୋର୍ଟ ଅନୁଯାୟୀ ଚୀନ୍ ନିଜର ଯୁଦ୍ଧ ବିମାନ ବିକ୍ରୟ କରିବାକୁ ଚାହୁଁଛି କିନ୍ତୁ କେବଳ ପାକିସ୍ତାନ ଛଡା ଅନ୍ୟ କେଉଁ ଦେଶ କିଣିବା ପାଇଁ ଆଗ୍ରହ ଦେଖାଉନାହାନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଇସଲାମାବାଦ ଆମଦାନୀ କରିଥିବା ଅସ୍ତ୍ରଶସ୍ତ୍ରର ୭୪% ଚୀନ୍ ଠାରୁ କିଣିଥିବାବେଳେ ଚୀନ୍ର ଏହି ବିଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ଏହାର ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି।