‘ଇଣ୍ଡିଆ ନା ଭାରତ’ ତେଜିଲା ରାଜନୀତି । ଜି-୨୦ ନିମନ୍ତ୍ରଣ ପତ୍ରକୁ ନେଇ ବଢିଲା ଚର୍ଚ୍ଚା ବିରୋଧୀ ମେଣ୍ଟ କହିଲା ଇଣ୍ଡିଆ ନାମକୁ ନେଇ ଭୟଭିତ ବିଜେପି

183

କନକ ବ୍ୟୁରୋ : ଭାରତ ନାଁ ଇଣ୍ଡିଆ । ଏହି ପ୍ରସଙ୍ଗ ଏବେ ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିଛି । ବ୍ରିଟିଶ ଅମଳରୁ ଦେଶର ନାମ ଇଣ୍ଡିଆକୁ ବଦଳାଇବାକୁ ସ୍ୱତନ୍ତ୍ର ଅଧିବେଶନରେ ବିଲ୍ ଆଗତ ହୋଇପାରେ ବୋଲି ଆଶା କରାଯାଉଛି । ଏହି କଥା ପ୍ରଘଟ ହେବା ପରେ ଏହାକୁ ନେଇ ସରକାରଙ୍କ ଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସିଛନ୍ତି । ଆଉ ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଲେଟର ପ୍ୟାଡରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ପରିବେର୍ତ୍ତ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଷ୍ଟ୍ରପତିଙ୍କ ଲେଟର ପ୍ୟାଡରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ପରିବର୍ତ୍ତେ ଭାରତର ରାଷ୍ଟ୍ରପତି ଲେଖାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କି ରାଷ୍ଟ୍ରପତିଙ୍କ ଏଭଳି ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ଏହା ହେଉଛି ଭାରତର ପରିଚୟ ଓ ଏହାକୁ ନେଇ ଆମେ ଗର୍ବ କରୁ । ତେଣୁ ଭାରତର ରାଷ୍ଟ୍ରପତି ଦେଶର ନାମକୁ ଭାରତ ବୋଲି କହିବା ହେଉଛି ଭାରତକୁ ଅଗ୍ରାଧିକାର ଦେବା । ଦାସତ୍ୱରୁ ମୁକ୍ତି ପାଇବାକୁ ହେଲେ ନାମ ବଦଳିବା ନିହାତି ଦରକାର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି କି ହାଜର ହଜାର ବର୍ଷ ତଳର ଭାରତୀୟ ସଂସ୍କୃତି ଭିତରେ ଦେଶ ନାମ ବଦଳାଇବା ପଛରେ ସରକାରଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ବିରୋଧୀ ମେଣ୍ଟର ନାମ ଇଣ୍ଡିଆକୁ ବଦନାମ କରିବା ଓ ଏହାକୁ ଲୋକଲୋଚନରୁ ଦୂରେଇ ରଖିବା । ଇଣ୍ଡିଆ ମେଣ୍ଟ ଫଳରେ ବିଜେପିର ଭୋଟ ପ୍ରତିଶତ କମ୍ ହେବା ଆଶଂକା କରି ପ୍ରଧାନମନ୍ତ୍ରୀ ଇଣ୍ଡିଆର ନାମ ଭାରତ ରଖିବାକୁ ଯୋଜନା କରିଛନ୍ତି । ଏହା ଦେଶ ସହ ଧୋକା ବୋଲି ସେ କହିଛନ୍ତି ।

ଇଣ୍ଡିଆର ନାମ ବଦଳାଇବା ପ୍ରସଙ୍ଗକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଜେଡିୟୁ ସାଂସଦ ମନୋଜ ଝା । ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ବିଜେପି ଇଣ୍ଡିଆର ନାମ ବଦଳାଇବାକୁ ପ୍ରୟାସ ଆରମ୍ଭ କରିଛି । ହେଲେ ବିଜେପି ଜାଣିବା ଦରକାର କି, ବିରୋଧୀ ମେଣ୍ଟ ତାର ଟ୍ୟାଗ ଲାଇନରେ ଲେଖିଛି ଜୁଡେଗା ଭାରତ ଜିତେଗା ଇଣ୍ଡିଆ । ଏହାସହ ଭାରତୀୟ ସମ୍ବିଧାନର ଆର୍ଟିକିଲ ୧ କଥା ସେ କହିଛନ୍ତି । ଆର୍ଟିକିଲ ୧ରେ ସ୍ପଷ୍ଟ ଭାବେ ଲେଖାଯାଇଛି କି ଇଣ୍ଡିଆ ହେଉଛି ଭାରତ ।

ଭାରତୀୟ ରାଜନୀତିରେ ହୋଇଛି କଣ ? ଦେଶର ନେତାଗଣ ଏବେ ଦେଶରେ ଥିବା ମୁଖ୍ୟ ସମସ୍ୟାରୁ ଦୂରେଇ ଯାଇ ନା ବଦଳ ଭଳି ଏକ ଅଣ ପ୍ରସଙ୍ଗ ଭିତିକ ରାଜନୀତି କରିବାକୁ ଆଗଭର ହେଉଛନ୍ତି । ଯେଉଁ ଦେଶର ନାଗରିକ ଭୋକରେ ପେଶି ହେଉଛି । ରୋଜଗାର ନପାଇ ରେଳ ଲାଇନକୁ ଡେଇଁ ଆତ୍ମହତ୍ୟା କରୁଛି । ଯେଉଁ ଦେଶର ମହିଳାଙ୍କୁ ତାର ଭାଇ ବନ୍ଧୁ କୁଟୁମ୍ବ ଜାତି ନାମରେ ଧର୍ମନାମରେ ଉଲଗ୍ନ କରି ରାସ୍ତାରେ ଚଲାଉଛି ସେହି ଦେଶର ନାମ ଭାରତ ହେଉ କି ଇଣ୍ଡିଆ ହେଉ କିମ୍ବା ହଜାର ହଜାର ବର୍ଷ ତଳର ଜମ୍ବୁଦୀପ ହେଉ ସେଥିରେ କାହାର ପେଟ ପୁରିବ ନା କେବଳ ରାଜନୀତି ରୁଟି ସେକିବା ପାଇଁ ଏଭଳି ପ୍ରହସନ ।
ବ୍ୟୁରୋ ରିପୋର୍ଟ କନକ ବ୍ୟୁରୋ