କନକ ବ୍ୟୁରୋ: ୨୦୨୩ରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବ ବୋଲି ସ୍ଥିର ହୋଇଥିଲା । ହେଲେ ଏବେ କିନ୍ତୁ, ଭାରତରେ ଏହି ବିଶ୍ୱକପ୍ ହେବ କି ହେବନି, ତା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଆଇସିସି ଓ ବିସିସିଆଇ ଭିତରେ ଗୋଟିଏ ଘଟଣାକୁ ନେଇ ବିବାଦ ହେବା ପରେ, ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜନ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି ।

Advertisment

ମିଡିଆ ରିପୋର୍ଟ ମୁତାବକ, ଆଇସିସି ବିଶ୍ୱକପ୍ ପାଇଁ ଟ୍ୟାକ୍ସ ଛାଡ କରିବାକୁ ବିସିସିଆଇକୁ କହିଛି । ଯେଉଁ ଟ୍ୟାକ୍ସ କି ଭାରତ ସରକାର ଛାଡ କରିବେ । ହେଲେ ଭାରତ ସରକାର କିନ୍ତୁ ଦିନିକିଆ ବିଶ୍ୱକପ୍ ପାଇଁ ଟ୍ୟାକ୍ସ ଛାଡ କଲା ଭଳି ଦେଖାଯାଉନି । ତେଣୁ ଏପରି ସ୍ଥିତିରେ ଭାରତରେ ବିଶ୍ୱକପ୍ ଆୟୋଜନ ହେବ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ ।

୨୦୧୬ ମସିହାରେ ମଧ୍ୟ ଭାରତ ଟି-୨୦ ବିଶ୍ୱକପ୍ ଆୟୋଜନ କରିଥିଲା । ସେତେବେଳେ ମଧ୍ୟ ଏହି ସମାନ ଘଟଣା ଚର୍ଚ୍ଚାକୁ ଆସିଥିଲା । ସେ ସମୟରେ ବିସିସିଆଇ ଭାରତ ସରକାରଙ୍କ ପାଖରୁ ସେଭଳି କୌଣସି ଟ୍ୟାକ୍ସ ଛାଡ କରାଇପାରିନଥିଲା । ଯେଉଁଥିପାଇଁ ଆଇସିସିକୁ ୧୯୦ କୋଟି ଟଙ୍କା ଦେବାକୁ ପଡିଥିଲା । ତେଣୁ ଯଦିି ଦ୍ୱିତୀୟ ଥର ପାଇଁ ସେଭଳି ସ୍ଥିତି ସୃଷ୍ଟି ହୁଏ, ତେବେ ଆଇସିସି କିଛି ଏଭଳି ନିଷ୍ପତ୍ତି ନେଇପାରେ ।

ଆଇସିସି ନିୟମ ମୁତାବକ, ବିଶ୍ୱକପ୍ ଆୟୋଜନ କରୁଥିବା ରାଷ୍ଟ୍ର, ନିଜ ଦେଶର ସରକାର ସହିତ ସମନ୍ୱୟ ରକ୍ଷା କରି ଟ୍ୟାକ୍ସ ଛାଡ କରିବାକୁ ପଡିଥାଏ । ହେଲେ ବିସିସିଆଇ ଯଦି ସେପରି ନକରେ, ତେବେ ଆଇସିସି ବିଶ୍ୱକପ୍ ପାଇଁ ଭାରତ ସରକାରକୁ ୯ ଶହ କୋଟି ଟଙ୍କା ଦେବାକୁ ପଡିବ । ତେବେ ରିପୋର୍ଟରୁ ମିଳୁଥିବା ସୂଚନା ଅନୁସାରେ, ବିସିସିଆଇ ଟ୍ୟାକ୍ସ ଛାଡ କରିବା ପାଇଁ ସରକାରଙ୍କୁ କହିବାକୁ ଆଗ୍ରହ ଦେଖାଉନାହିଁ । ଏଭଳି ସ୍ଥିତିରେ ଆଇସିସି ଆୟୋଜନର ଅଧିକାର ଭାରତଠାରୁ ଛଡାଇନେଇପାରେ । ତେବେ ଯଦି ଏଭଳି ସ୍ଥିତି ଉତ୍ପନ୍ନ ହୁଏ, ତେବେ ଭାରତ ମଧ୍ୟ ଏହା ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇପାରେ ବୋଲି ସୂଚନା ମିଳୁଛି ।