କନକ ବ୍ୟୁରୋ : ଖରା ବେଳେ ନମ୍ବର- ୱାନ, ସଂଧ୍ୟା ବେଳକୁ ନମ୍ବର-ଟୁ । କିଛି ଘଣ୍ଟା ଭିତରେ ଆଇସିସି ଟେଷ୍ଟ ରାକିଂରେ ୧ ନମ୍ବରରୁ ୨ ନମ୍ବରକୁ ଖସିଆସିଛି ଭାରତ । ଏଭଳି ଦେଖିବାକୁ ମିଳିଛି ଆଇସିସି ୱେବସାଇଟରେ ପ୍ରକାଶ ପାଇଥିବା ଟେଷ୍ଟ ରାଙ୍କିଂ ତାଲିକାରେ । ବୁଧବାର ଦିନ ସାଢ଼େ ଗୋଟାଏ ବେଳେ ଟେଷ୍ଟ କ୍ରିକେଟ୍ ରାଙ୍କିଂ ତାଲିକାରେ ଭାରତକୁ ପ୍ରଥମ ସ୍ଥାନରେ ରଖିଥିଲା ଆଇସିସି ।

Advertisment

ଏହି ତାଲିକା ପ୍ରକାଶ ପାଇବା ପରେ କ୍ରିକେଟର ୩ଟି ଯାକ ଫର୍ମାଟରେ ନମ୍ବର ୱାନ୍ ସ୍ଥାନ ଅକ୍ତିଆର କରିଥିଲା ଟିମ୍ ଇଣ୍ଡିଆ । ଭାରତ ୧୧୫ ରେଟିଂ ପଏଂଟ ପାଇ ଏକ ନମ୍ବର ହୋଇଥିବା ବେଳେ ୧୧୧ ରେଟିଂ ପଏଂଟ ପାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଖସି ଯାଇଥିବା ଆଇସିସି ୱେବସାଇଟରେ ପ୍ରକାଶ ପାଇଥିଲା । ଟେଷ୍ଟ କ୍ରିକେଟରେ ଅଷ୍ଟେଲିଆକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଖୁସି ପ୍ରକାଶ କରିଥିଲେ ।

କିନ୍ତୁ ଏହି ଖୁସି ଅଧିକ ସମୟ ରହିନଥିଲା । କାରଣ ସଂଧ୍ୟା ବେଳେ ଆଇସିସି ୱେବସାଇଟରେ ରାଙ୍କିଂ ତାଲିକା ବଦଳି ଯାଇଥିଲା । ୧୨୬ ରେଟିଂ ପଏଂଟ ସହ ଅଷ୍ଟ୍ରେଲିଆ ନମ୍ବର-ୱାନ ସ୍ଥାନରେ ରହିଥିବା ବେଳେ ଭାରତକୁ ୧୧୫ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରଖାଯାଇଛି । ଏପରି କାହିଁକି କରାଗଲା, ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ୱେବ ସାଇଟରେ କିଛି ତ୍ରୁଟି ହେବାରୁ ଏପରି ହୋଇଥିବା କୁହାଯାଉଛି ।