ତାରି ଖେଳରେ ଚୀନକୁ ମାତ ଦେଉଛି ଭାରତ : ଗରିବ ଓ ବିକାଶଶୀଳ ଦେଶଙ୍କୁ ଟିକା ଯୋଗାଇ ଜିତୁଛି ହୃଦୟ

ଅଧିକ ନିବେଶ ପାଇଁ କ୍ୱାଡ ଦେଶ ସମୁହଙ୍କୁ କଲା ଅନୁରୋଧ; ଟିକାମୈତ୍ରୀରେ ଚୀନକୁ ପଛରେ ପକାଇଲେ ମୋଦୀ

236

କନକ ବ୍ୟୁରୋ : ତାରି ଖେଳରେ ଚୀନକୁ ମାତ ଦେଉଛି ଭାରତ । ଉହାନରୁ ମାରାତ୍ମକ କରୋନା ଭୂତାଣୁ ବ୍ୟାପିବା ପରେ ସାରା ବିଶ୍ୱରେ ଚୀନର ଛବି ଖରାପ ହୋଇଛି । ତେଣୁ ଛବି ସୁଧାରିବା ପାଇଁ ଗରିବ ଓ ବିକାଶଶୀଳ ଦେଶଗୁଡିକୁ ପ୍ରାୟ ୪ କୋଟି ୬୩ ଲକ୍ଷ ଡୋଜ୍ କରୋନା ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବେଜିଂ । ଅର୍ଥାତ ଖରାପ ହୋଇଥିବା ଛବିକୁ ସୁଧାରିବା ପାଇଁ ଭ୍ୟାକ୍ସିନ ଡିପ୍ଲୋମାସି ବା ଟିକା କୂଟନୀତି ଆରମ୍ଭ କରିଛନ୍ତି ଜିନପିଙ୍ଗ ସରକାର ।

ହେଲେ ଚୀନର ଖେଳରେ ଚୀନକୁ ମାତ୍ ଦେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ମୋଦୀ ସରକାର । ଅର୍ଥାତ ବିଶ୍ୱ ସମୁଦାୟର ହୃଦୟ ଜିତିବାକୁ ଟିକା କୂଟନୀତିକୁ ଏକ ସଫ୍ଟ ପାୱାର ଭାବରେ ବ୍ୟବହାର କରୁଛି ଭାରତ । ଏଥିପାଇଁ ଆରମ୍ଭ ହୋଇଛି ଟୀକା ମୈତ୍ରୀ ଯୋଜନା । ଭାରତର ପ୍ରାୟ ୫ଗୁଣା ଅର୍ଥନୀତି ଚୀନକୁ ମାତ୍ ଦେବା ପାଇଁ କ୍ୱାଡ୍ ଦେଶସମୁହର ସହାୟତା ଲୋଡିଛି ଭାରତ । କ୍ୱାଡ୍- ଏକ ଅନୌପଚାରିକ ରଣନୈତିକ ସାମୁଖ୍ୟ । ଏଥିରେ ଆମେରିକା ସମେତ ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ସଦସ୍ୟ ଅଛନ୍ତି । ବିଶେଷ କରି ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ସାମୁଖ୍ୟ ଗଠନ କରାଯାଇଛି । ତେଣୁ କରୋନା ଟିକା ପ୍ରସ୍ତୁତିରେ କ୍ୱାଡ୍ ଦେଶସମୁହକୁ ଆହ୍ୱାନ କରିଛି ଭାରତ ।

ଫଳରେ ଗରିବ ଦେଶଗୁଡିକୁ ଟିକା ଯୋଗାଇ ଦେଇ ଚୀନ ତାର ଗୋଡାଣିଆ କରି ରଖିବାକୁ ଯେଉଁ ରଣନୀତି କରିଛି, ତାହାର ମୁକାବିଲା କରାଯାଇ ପାରିବ । ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ରାଷ୍ଟ୍ର, କରୋନା ଟିକା ପ୍ରସ୍ତୁତିରେ ଅଧିକ ପୁଞ୍ଜି ନିବେଶ କଲେ ଚୀନକୁ ତାଳ ଦେଇପାରିବ ଭାରତ । ଅଧିକରୁ ଅଧିକ ଦେଶକୁ କରୋନା ଟିକା ଯୋଗାଇ ଦେଇ, ଏସିୟା ମହାଦେଶର ଚୀନର ବଢୁଥିବା ପ୍ରଭାବକୁ ଅଟକାଇ ପାରିବ ।