କେମିତି ସେମିଫାଇନାଲ ଖେଳିବ ଟିମ୍ ଇଣ୍ଡିଆ? କଣ କହୁଛି ସମୀକରଣ, କିଏ ଜିତିଲେ ଭାରତକୁ ମିଳିବ ଫାଇଦା?

1,445

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତର ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଟାଇଟଲ ଦୌଡରେ ସବୁଠୁ ଆଗରେ ଥିବା ବିରାଟ ବାହିନୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜିତ ହେବା ପରେ ସେମିଫାଇନାଲ ଖେଳିବା ଆଶା ଧୀରେ ଧୀରେ ମଉଳିବା ଆରମ୍ଭ ହୋଇଛି । ତେବେ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଏବେ ଗ୍ରୁପର ଅନ୍ୟ ଦେଶର ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡିବ । ଖାସକରି ଗ୍ରୁପର ଅନ୍ୟ ୩ଟି ଦଳ ଥିବା ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲାଣ୍ଡର ମ୍ୟାଚ୍ ଫଳାଫଳ ଉପରେ ଏବେ ଭାରତର ନଜର ରହିବ । କେବଳ ମ୍ୟାଚ୍ ଫଳାଫଳ ନୁହେଁ କିଛି ଚମକ୍ରାରୀ ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଦ୍ୱାର ଖୋଲିବ । ଆଉ ଏଥିପାଇଁ ଆଫଗାନିସ୍ତାନ, ନାମ୍ବିଆ, ସ୍କଟଲାଣ୍ଡ ଭଳି ଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେଉ ବୋଲି ପ୍ରାର୍ଥନା କରିବ ଟିମ୍ ଇଣ୍ଡିଆ । ତେବେ ଭାରତ ପାଇଁ ସେମିଫାଇନାଲର ରାସ୍ତା କେମିତି ଖୋଲିବ ସେ ବାବଦରେ ଥରେ ନଜର ପକାନ୍ତୁ ।

ଭାରତର ଆଗାମୀ ୩ଟି ମ୍ୟାଚ୍ ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲାଣ୍ଡ  ସହ ରହିଛି । ତେଣୁ ଏହି ଟିମ ବିପକ୍ଷରେ ବିରାଟ ବାହିନୀକୁ ବଡ ବ୍ୟବଧାନରେ ଜିତିବାକୁ ପଡିବ । ଯାହାଦ୍ୱାରା ଭାରତର ରନ୍ ରେଟରେ ସୁଧାର ଆସିବ । କାରଣ ଲଗାତାର ଦୁଇଟି ପରାଜୟ ପରେ ଭାରତର ରନ୍ ରେଟ୍ ମାଇନସରେ ରହିଛି  ଏବଂ ହାତରେ କୌଣସି ପଏଣ୍ଟ ମଧ୍ୟ ନାହିଁ । ଅନ୍ୟପଟେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ତେଣୁ ଲଗାତାର ୩ଟି ବଡ ବିଜୟ ସହ ଅନ୍ୟ ଟିମର ଫଳାଫଳ ଉପରେ ଭାରତର ସେମିଫାଇନାଲ ଟିକେଟ ନିର୍ଭର କରୁଛି ।

ଖାସକରି ଆଫଗାନିସ୍ତାନ ବିପକ୍ଷରେ ଭାରତକୁ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ସେହିଭଳି ଆଫଗାନିସ୍ତାନ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହେଉ ଏହା ପ୍ରାର୍ଥନା କରିବ ଟିମ୍ ଇଣ୍ଡିଆ । କିନ୍ତୁ ବିଜୟ ବ୍ୟବଧାନ ବଡ ନହେବା ଆବଶ୍ୟକ । ଯାହାଦ୍ୱାରା ପଏଣ୍ଟ ଟେବୁଲରେ କିଛି ମାତ୍ରାରେ ହଲଚଲ ଦେଖିବାକୁ ମିଳିପାରେ । କାରଣ ଆଫଗାନିସ୍ତାନ ହାତରେ ଆଉ ୨ଟି ମ୍ୟାଚ୍ ଥିବା ବେଳେ ପ୍ରତିପକ୍ଷରେ ରହିଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଅନ୍ୟପଟେ ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ଆଫଗାନିସ୍ତାନକୁ ଯଦିି ହରାଉଛନ୍ତି ଏବଂ ନାମ୍ବିଆ ଓ ସ୍କଟଲାଣ୍ଡ ମଧ୍ୟରୁ କୌଣସି ଟିମ୍ ନ୍ୟୁଜିଲାଣ୍ଡକୁ ହରାଉଛି ତେବେ ମଧ୍ୟ ଭାରତ ପାଇଁ ସେମିଫାଇନାଲ ଖେଳିବା ସୁଯୋଗ ସୃଷ୍ଟି ହେବ । କିନ୍ତୁ ଏସବୁ ସମୀକରଣ ବାଦ୍ ଭାରତକୁ ଆଗାମୀ ୩ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ଯାହାଦ୍ୱାରା ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ରନ୍ ରେଟ ଟିମ୍ ଇଣ୍ଡିଆର ଅଧିକ ରହିବ । ତେବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ପରାଜିତ ହେଲେ ଟି-୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବ ।

କୁହାଯାଏ କ୍ରିକେଟ ଅନିଶ୍ଚିନ୍ତତାର ଖେଳ । ଏହି ଖେଳରେ ପ୍ରତି ମୁହୂର୍ତ୍ତରେ ଫଳାଫଳ ବଦଳି ଯିବାର ସମ୍ଭାବନା ଥାଏ । ତେଣୁ ଆଗାମୀ ମ୍ୟାଚ ଗୁଡିକ ଉପରେ ପ୍ରତିଟି ଦଳର ନଜର ରହିବ । ଅନ୍ୟପଟେ ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତି ପାକିସ୍ତାନ ଏକପ୍ରକାର ସେମିଫାଇନାଲର ଅତି ନିକଟତର ହୋଇ ସାରିଛି । ପାକିସ୍ତାନ ଆଗାମୀ ମ୍ୟାଚରେ ନାମ୍ବିଆ ଓ ସ୍କଟଲାଣ୍ଡକୁ ଭେଟିବ । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ଗ୍ରୁପରୁ ପ୍ରଥମ ଟିମ୍ ସେମିଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ରହିବ ପାକିସ୍ତାନ ।  ତେବେ ମ୍ୟାଚ୍ ଶେଷ ନ ହେବା ଯାଏଁ ଫଳାଫଳ କାହା ସପକ୍ଷରେ ତାହାର ଅନ୍ଦାଜ ଲଗାଇବା ଏତେ ସହଜ ନୁହେଁ । ତେଣୁ ଭାରତୀୟ କ୍ରିକେଟ ପ୍ରଂଶସକ ନିଶ୍ଚୟ ଚାହିଁବେ ଉପରୋକ୍ତ ସମୀକରଣ ସତ ହେଉ, କିଛି ଚମକ୍ରାର ହେଉ  ଓ ଟିମ୍ ଇଣ୍ଡିଆ ସେମିଫାଇନାଲ ଖେଳୁ ।