କନକ ବ୍ୟୁରୋ : ନିର୍ଣ୍ଣାୟକ ମୋଡରେ ଦକ୍ଷିଣଆଫ୍ରିକା ବିପକ୍ଷ ସେଞ୍ଚୁରିଅନ୍ ଟେଷ୍ଟ । ପ୍ରଥମ ଟେଷ୍ଟର ଆଜି ଶେଷ ତଥା ପଞ୍ଚମ ଦିନର ଖେଳ । ଭାରତର ପଲ୍ଲା ଭାରି ରହିଛି । ଦ୍ୱିତୀୟ ଇନିଂସରେ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦକ୍ଷିଣଆଫ୍ରିକା ଦଳ ୯୪ ରନ ମଧ୍ୟରେ ପ୍ରମୁଖ ୪ ୱିକେଟ୍ ହରାଇ ସଙ୍କଟରେ ପଡିଛି । ଫଳରେ ବିଜୟ ନେଇ ଭାରତକୁ ଶେଷ ଦିନରେ ଆଉ ୬ଟି ୱିକେଟ୍ ଆବଶ୍ୟକତା ରହିଛି । ଦକ୍ଷିଣଆଫ୍ରିକାକୁ ଆଉ ୨୧୧ ରନ୍ ଆବଶ୍ୟକତା ଅଛି ।

Advertisment

ଦକ୍ଷିଣଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭରୁ ହିଁ ଝଟକା ଖାଇଥିଲା । ମହମ୍ମଦ ସାମୀ ଓପନର ଏଦେନ ମାର୍କରମଙ୍କୁ ମାତ୍ର ୧ ରନରେ ପାଭିଲିୟନ ଫେରାଇ ଦେଇଥିଲେ । କିଗାନ ପିଟରସନଙ୍କୁ ସାଥୀ କରି ଏଲଗାର ଦ୍ୱିତୀୟ ଓି୍ୱକେଟ ପାଇଁ ୩୩ ରନ୍ ଯୋଡିବା ପରେ ମହମ୍ମଦ ସିରାଜ ପିଟରସନଙ୍କୁ ପନ୍ତଙ୍କ ହାତରେ କ୍ୟାଚ କରାଇଥିଲେ । ଏହା ପରେ ଦୁସେନ ଏବଂ ମହାରାଜଙ୍କୁ ବୁମରା ବୋଲଡ କରି ଦକ୍ଷିଣଆଫ୍ରିକାକୁ ଡବଲ ଝଟକା ଦେଇଥିଲେ । ଭାରତର ବିଜୟ ରାସ୍ତାରେ ଏଲଗାର ଅପରାଜିତ ୫୨ ରନ୍ କରି କଣ୍ଟା ହୋଇ ଠିଆ ହୋଇଛନ୍ତି । ଶେଷ ଦିନରେ ମ୍ୟାଚ ରୋମାଞ୍ଚକର ହେବା ଆଶା କରାଯାଉଛି । ଭାରତ ପ୍ରଥମ ଇନିଂସରେ ୩୨୭ ଏବଂ ଦ୍ୱିତୀୟ ଇନିଂସରେ ୧୭୪ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୯୭ ରନ୍ ହିଁ କରିପାରିଥିଲା ।