ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ : ଏକଛତ୍ରବାଦ, ଆତଙ୍କବାଦ, ମିଛଖବର ଓ ଅର୍ଥନୀତି ପ୍ରସଙ୍ଗରେ ରଖିଲେ ମତ

205

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜି-୭ର ସ୍ୱାଭାବିକ ବନ୍ଧୁ ରାଷ୍ଟ୍ର ହେଉଛି ଭାରତ । ଭର୍ଚୁଆଲ ଉଦବୋଧନ ଦେଇ ଜି-୭ ସମ୍ମିଳନୀର ଏକ ସେସନ୍ରେ ଏପରି କହିଛନ୍ତି ମୋଦୀ । ଏକଛତ୍ରବାଦ, ଆତଙ୍କବାଦ, ଗୁଜବ ପ୍ରଚାର, ଅର୍ଥନୈତିକ ବାଧ୍ୟବାଧକତା କିପରି ଚ୍ୟାଲେଂଜ ସୃଷ୍ଟି କରୁଛି, ଏ ସଂପର୍କରେ ମତ ଦେଇଥିଲେ ପ୍ରଧାନମନ୍ତ୍ରୀ । ‘ମୁକ୍ତ ସମାଜ ଓ ମୁକ୍ତ ଅର୍ଥନୀତି’ ଶୀର୍ଷକ ଆଲୋଚନା ଚକ୍ରକୁ ସମ୍ବୋଧନ କରି ଗଣତନ୍ତ୍ର, ସ୍ୱାଧୀନ ଚିନ୍ତାଧାରା ପ୍ରତି ଭାରତର ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଭାରତର ସାମାଜିକ ସଶକ୍ତିକରଣ ପାଇଁ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସଂପର୍କରେ ସେ ବିଶଦ ଭାବେ ଆଲୋଚନା କରିଛନ୍ତି । ଭାରତରେ ବ୍ୟାଙ୍କ, ମୋବାଇଲ ନମ୍ବର ସହ ଆଧାର କାର୍ଡ ସଂଯୁକ୍ତିକରଣ, ଡିବିଟି ବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଆଦି ବଡ଼ ଉପଲବ୍ଧି ବୋଲି ସେ କହିଥିଲେ । ସେପଟେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ମତକୁ ଅନ୍ୟ ନେତାମାନେ ହୃଦବୋଧ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି । ବିଶ୍ୱରେ ସଙ୍କଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଦେଶ ମନ୍ତ୍ରାଳୟ କହିଛି ।

ଜି-୭ ରାଷ୍ଟସମୁହ ଏବଂ ଅତିଥି ସହଯୋଗୀ ରାଷ୍ଟ୍ର ସହ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ରହିଛି । ବିଶ୍ୱ ଟିକାକରଣ, ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଭାରତ ସହଯୋଗ ଯୋଗାଇ ଆସୁଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଜି-୭ ରାଷ୍ଟ୍ରସମୁହ ମଧ୍ୟରେ ରହିଛନ୍ତି – ଆମେରିକା, ବିଟ୍ରେନ, ଫ୍ରାନ୍ସ, କାନାଡା, ଜର୍ମାନୀ, ଇଟାଲୀ ଓ ଜାପାନ । ସମ୍ମିଳନୀରେ ବିଟ୍ରେନ୍ ଅଧ୍ୟକ୍ଷତା କରୁଥିବା ବେଳେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ନିମନ୍ତ୍ରିତ ରାଷ୍ଟ୍ର ଭାବେ ଯୋଗ ଦେଇଛନ୍ତି ।