କନକ ବ୍ୟୁରୋ : ଫ୍ରାନ୍ସରେ ଏବେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି ।ଦଙ୍ଗା ନିଆଁରେ ଏବେ ଫ୍ରାନ୍ସ ଜଳୁଛି । ସବୁଠି ଆର୍ତ୍ତ ଚିତ୍କାର ଭିତରେ ଦଙ୍ଗାକୁ ଦମନ କରିବାକୁ ୫୦ ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । କିନ୍ତୁ ଏସବୁ ଭିତରେ ୟୁରୋପର ଜଣାଶୁଣା ଡାକ୍ତର ତଥା ପ୍ରଫେସର ଏନ୍ ଜନ୍ କ୍ୟାମ୍ ଭାରତକୁ ଏକ ନିବେଦନ କରିଛନ୍ତି । କ୍ୟାମ୍ ଟ୍ୱିଟ୍ କରି କହିଛନ୍ତି, ଫ୍ରାନ୍ସରେ ହୋଇଥିବା ଦଙ୍ଗା ସ୍ଥିତିର ମୁକାବିଲା ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫ୍ରାନ୍ସକୁ ଭାରତ ପଠାଉ । ୨୪ ଘଣ୍ଟା ମଧ୍ୟରେ ଦଙ୍ଗାକୁ ଆଦିତ୍ୟନାଥ ଦମନ କରିପାରିବେ ବୋଲି କହିଛନ୍ତି କ୍ୟାମ୍ । କେବଳ ଏତିକି ନୁହେଁ କ୍ୟାମ୍ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଦଙ୍ଗାକାରୀଙ୍କୁ ସାବାଡ କରିବାକୁ ଏହାଠାରୁ ଆଉ ଭଲ ଉଦ୍ୟମ କିଛି ହୋଇପାରିବନି ବୋଲି କହିଛନ୍ତି କ୍ୟାମ୍ ।

Advertisment

ଗତ ୪ ଦିନ ହେବ ଫ୍ରାନ୍ସରେ ଦଙ୍ଗା ଉଗ୍ର ରୂପ ଧାରଣ କରିଛି । ଗତ ୨୭ ଜୁନରେ ଜଣେ ୧୭ ବର୍ଷୀୟ ଯୁବକଙ୍କୁ ଟ୍ରାଫିକ ପୋଲିସ ଗୁଳି ମାରିବା ପରେ ଦଙ୍ଗା ଆରମ୍ଭ ହୋଇଥିଲା । କିନ୍ତୁ ଦଙ୍ଗା ଦ୍ୱାରା ଏତେ ଭୟଙ୍କର ସ୍ଥିତି ଉପୁଜିବ ତାହାର କଳନା କରିପାରିନଥିଲେ ଫ୍ରାନ୍ସର ରାଷ୍ଟ୍ରପତି । ଫ୍ରାନ୍ସର ବିଭିନ୍ନ ସରକାରୀ କୋଠା ଏବେ ହୁତୁହୁତୁ ହୋଇ ଜଳୁଥିବା ବେଳେ ଏବେ ପର୍ଯ୍ୟନ୍ତ ଏହି ଘଟଣାରେ ୮୭୫ ଜଣଙ୍କୁ ଗିରଫ କରାଯାଇଛି । ଏହାସତ୍ତେ୍ୱ ମଧ୍ୟ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପ୍ରଶାସନ ।