ଜାତୀୟ ରାଜପଥରେ ଓହ୍ଲାଇଲା ଯୁଦ୍ଧ ବିମାନ । ପାକ୍ ସୀମା ନିକଟରେ କଲା ଶକ୍ତି ପ୍ରଦର୍ଶନ ।

95

କନକ ବ୍ୟୁରୋ: ଜାତୀୟ ରାଜପଥରେ ଅବତରଣ କଲା ସୁଖୋଇ-ଜାଗୁଆର । ପାକ୍ ସୀମା ନିକଟରେ କଲା ଶକ୍ତି ପ୍ରଦର୍ଶନ । ପାକିସ୍ତାନ ସୀମା ନିକଟ ରାଜସ୍ଥାନ ଜାଲୋରରେ ତିଆରି ହେଲା ସ୍ୱତନ୍ତ୍ର ଏୟାରଷ୍ଟ୍ରିପ । ଏୟାରଷ୍ଟ୍ରିପରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ଜାଲୋରରେ ତିିଆରି ହୋଇଥିବା ଜାତୀୟ ରାଜପଥରେ ଅବତରଣ କରିଛି ବାୟୁସେନାର ତିନିଟି ଯୁଦ୍ଧ ବିମାନ । ସୁଖୋଇ ଓ ଜାଗୁଆର ଯୁଦ୍ଧ ବିିମାନ ସହ ବାୟୁସେନାର ପରିବହନ ବିମାନ ସି-୧୩୦ଜେ ସୁପର ହରକ୍ୟୁଲିସ ଜାତୀୟ ରାଜପଥରେ ଅବତରଣ କରିଛି । ସେନା ଅପରେସନ ବେଳେ ଜରୁରୀକାଳୀନ ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ଏପରି ଜାତୀୟ ରାଜପଥ ତିଆରି ହୋଇଛି । ଯାହାକୁ ଆବଶ୍ୟକ ସ୍ଥଳରେ ଏୟାରଷ୍ଟ୍ରିପ ଭାବରେ ବ୍ୟବହାର କରାଯାଇପାରିବ ।

ବାୟୁସେନାର ପରିବହନ ବିମାନ ସି-୧୩୦ଜେ ସୁପର ହରକ୍ୟୁଲିସ ପ୍ରଥମେ ଅବତରଣ କରିଥିବା ବେଳେ ଏଥିରେ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ଜାଲୋରର ଜାତୀୟ ରାଜପଥ ୯୨୫ଏରେ ଏହି ସ୍ୱତନ୍ତ୍ର ଏୟାରଷ୍ଟ୍ରିପ ପ୍ରସ୍ତୁତ କରାଯାଇ ଏଥିରେ ପରୀକ୍ଷାମୂଳକ ଭାବେ ଅବତରଣ କରିଛନ୍ତି ସୁଖୋଇ, ଜାଗୁଆର ଓ ସୁପର ହରକ୍ୟୁଲିସ । ଜରୁରୀ ଅବତରଣ କରାଯାଇଥିବା ଏହି ସ୍ଥାନ ଭାରତ ପାକିସ୍ତାନ ସୀମାଠାରୁ ମାତ୍ର ୪୦କିଲୋମିଟର ଦୂରରେ ଅବସ୍ଥିତ ।

ବିମାନ ଅବତରଣ କରିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆଙ୍କ ସମେତ ସିଡିଏସ ବିପୀନ ରାୱତ ଉପସ୍ଥିତ ଥିଲେ । ଜରୁରୀକାଳିନ ଅବତରଣ ପାଇଁ ଜାତୀୟ ରାଜପଥ ଉପରେ ୩କିଲୋମିଟର ଲମ୍ବା ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଛି । ୧୯ ମାସରେ ଏହିି ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି । ଜୁଲାଇ ୨୦୧୯ରେ ଏହି ରାସ୍ତା କାମ ଆରମ୍ଭ ହୋଇ ୨୦୨୧ ଜାନୁଆରୀରେ ଶେଷ ହୋଇଛି । ସାରା ଦେଶରେ ଏପରି ୧୨ଟି ଜାତୀୟ ରାଜପଥ ତିଆରି ହୋଇଛି । ଯାହାକୁ ଆବଶ୍ୟକସ୍ଥଳରେ ବାୟୁସେନାର ଏୟାରବେସ ଭାବେ ବ୍ୟବହାର କରିହେବ । ଯେଉଁଥିରେ ଆଗ୍ରା-ଲକ୍ଷେ୍ନା ଜାତୀୟ ରାଜପଥ ମଧ୍ୟ ରହିଛି ।