୨୦୨୩ ରେ ଭଙ୍ଗା ଯାଇଛି ସବୁଠାରୁ ଅଧିକ ବସ୍ତି । ଜାଣନ୍ତୁ ଏହାର କାରଣ ଏବଂ କେତେ ବସ୍ତି ବାସିନ୍ଦାଙ୍କୁ ମିଳିଛି ଘର?

135

କନକ ବ୍ୟୁରୋ : ଦ ହାଉସିଂ ଆଣ୍ଡ ଲ୍ୟାଣ୍ଡ ରାଇଟ୍ସ ନେଟୱର୍କ ନିକଟରେ ଭାରତର ବସ୍ତି କ୍ଲିୟରାନ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ସରକାରଙ୍କର ବସ୍ତି ଭାଙ୍ଗି ଥଇଥାନ କରିବା ଓ ଉନ୍ନତି ମୂଳକ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାକୁ ୨୦୨୨ ତୁଳନାରେ ୨୦୨୩ ରେ ପ୍ରାୟ ଦୁଇଗୁଣ ବୃଦ୍ଧି ହୋଇଥିବା ଦେଖିବା ପାଇଁ ମିଳିଛି   ।

ଏହି ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ପୂନଃ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୨୯,୭୬୪ ଘର ଗୁଡିକୁ ଖାଲି କରାଯାଇଥିଲା । ୨୦୨୩ ରେ ଏହି ସଂଖ୍ୟା ୬୦,୪୮୬ କୁ ବୃଦ୍ଧି ପାଇଛି । ଭିତ୍ତିଭୂମି ପ୍ରକଳ୍ପ ପାଇଁ ୨୦୨୧ ରେ ୧୩,୮୭୦ ବସ୍ତି କୁ ହଟାଯାଇଥିଲା ଏବଂ ଯାହା ୨୦୨୩ ରେ ୪୦,୦୬୭ କୁ ବୃଦ୍ଧି ପାଇଥିଲା ।

୨୦୨୨ ଏବଂ ୨୦୨୩ ଶୀର୍ଷକ ହାଉସିଂ ଆଣ୍ଡ ଲ୍ୟାଣ୍ଡ ରାଇଟ୍ସ ନେଟୱର୍କ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଏକ ବର୍ଷ ମଧ୍ୟରେ ଅସ୍ଥାଇ ଘର ଭାଙ୍ଗିବାରେ ୧୦୩ ପ୍ରତିଶତର ଅଭି ବୃଦ୍ଧି ଘଟିଥିବା ବେଳେ କିନ୍ତୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭାଙ୍ଗାଯାଇଥିବା ଘର ସଂଖ୍ୟା ୧୮୮ ପ୍ରତିଶତ ବୃଦ୍ଧି ପାଇଛି ।

ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପୂନଃ ଉନ୍ନତି ପ୍ରକଳ୍ପ କର୍ଯ୍ୟକ୍ରମ ପାଇଁ ହାରାହାରି ପ୍ରାୟ ୨୨୨,୬୮୬ ଜଣ ଲୋକଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଗ୍ରାମରୁ ତଡି ଦିଆଯାଇଥିଲା । ସେହିପରି ୫୧୫,୭୫୨୩ ସହରବାସିଙ୍କୁ ମଧ୍ୟ ବିସ୍ଥାପିତ କରାଯାଇଥିଲା ।

ରିପୋର୍ଟ ମୁତାବକ ବର୍ତ୍ତମାନ ୪ ମିଲିଅନରୁ ଅଧିକ ଲୋକଙ୍କ ପାଖରେ ଘର ନାହିଁ ଏବଂ ୭୫ ମିଲିଅନ ଠାରୁ ଅଧିକ ଲୋକ ସହରରେ ଅସ୍ଥାଇ ଭାବେ ରହୁଛନ୍ତି । ଏବଂ ବସ୍ତି ଭାଙ୍ଗିବା ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରିଛି ।

୨୦୨୨ ରେ ହାରାହାରି ୩୩,୩୬୦ ଲୋକଙ୍କୁ କୋର୍ଟର ନିର୍ଦ୍ଦେଶ ଅନୁସାରେ ବେଦଖଲ କରାଗଲା ଯାହା କି ସଂପୂର୍ଣ୍ଣ ୧୫ ପ୍ରତିଶତ ଥିଲା । ୨୦୨୩ ମସିହାରେ ବେଦଖଲ ହୋଇଥିବା ୨.୫ ଲକ୍ଷ ଲୋକଙ୍କ ମଧ୍ୟରୁ ୪୯ ପ୍ରତିଶତ ମାମଲା କୋର୍ଟର ନିଷ୍ପତ୍ତି ସହିତ ଜଡିତ ଥିଲା । ସୂଚନାରୁ ଜଣାପଡିଛି ଯେ ବେଦଖଲ ହୋଇଥିବା ଲୋକଙ୍କ ମଧ୍ୟରୁ କେବଳ ୨୭ ପ୍ରତିଶତ ଲୋକଙ୍କୁ ରହିବା ପାଇଁ ଆବାସ ମିଳିଛି ।

ଭାରତର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ବେଦଖଲ ଘଟଣା ଘଟିଛି । ୨୦୨୨ ରୁ ୨୦୨୩ ମଧ୍ୟରେ ମୋଟ ୭୮ଟି ଘଟଣା ରେକର୍ଡ କରାଯାଇଥିଲା ଯେଉଁଥିରେ ପ୍ରାୟ ୨.୮ ଲକ୍ଷ ଲୋକଙ୍କୁ ବିଭିନ୍ନ ରାଜ୍ୟ କର୍ତ୍ତୁପକ୍ଷ ବାଧ୍ୟ କରି ବେଦଖଲ କରିଥିଲେ ।

ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ ପ୍ଲାନର୍ସ ଇଣ୍ଡିଆର ସଭାପତି ଆକାଶ ଝା । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କହିଛନ୍ତି କି, ଭାରତର ବସ୍ତି ଅଂଚଳକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମଟି ବିଜ୍ଞପ୍ତି ହୋଇଥିବା ବସ୍ତି ଏବଂ ଦ୍ୱିତୀୟଟି ଅଜ୍ଞାତ ବସ୍ତି ।

ବର୍ତ୍ତମାନ ପୂନଃ ଉନ୍ନତି ପ୍ରକଳ୍ପ ଅଧୀନରେ ପୁଣି ଥଇଥାନ ପାଇଁ ବିଜ୍ଞପ୍ତିରେ ରହୁଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସରକାର ଯୋଜନା କରିଛନ୍ତି । କିନ୍ତୁ ଅଜ୍ଞାତ ବସ୍ତିରେ ରହୁଥିବା ଲୋକମାନେ କୌଣସି କ୍ଷତି ପୂରଣ ପାଆନ୍ତି ନାହିଁ କିମ୍ବା ସରକାର ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବାଧ୍ୟ ନୁହନ୍ତି ।

ଝୁମ୍ପୁଡି ବସ୍ତି ଭାଙ୍ଗିବା ପଛରେ ସବୁଠାରୁ ମୁଖ୍ୟ କାରଣ ହେଉଛି ପୁନଃ ଉନ୍ନତିକରଣ । ଭାରତର ଏହି ଉନ୍ନତି କରଣ ଯୋଜନା ମଧ୍ୟରେ ସବୁଠାରୁ ବଡ ବସ୍ତି ମୁମ୍ବାଇର ଧରାଭି ବସ୍ତିର ନବିକରଣ ଯୋଜନା ବହୁତ ଚର୍ଚାରେ ରହିଛି । ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କ ଆକାରର ଏହି ବସ୍ତିରେ ରହିଛନ୍ତି ଲକ୍ଷାଧିକ ଲୋକ । ସେମାନଙ୍କୁ ସ୍ୱଚ୍ଛ ପିଇବା ପାଣିଠାରୁ ଆରମ୍ଭ କରି ଶୌଚାଳୟ ଯାଏଁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ଏବଂ ବସ୍ତି ନବିକରଣ କରିବାର କାର୍ଯ୍ୟଭାର ଉଦ୍ୟୋଗପତି ଗୌତମ ଆଦାନିଙ୍କୁ ଦିଆଯାଇଛି ।