ତତଲା ତାୱାରେ ଜଳିବ ଓଡିଶା ! ଚଳିତ ବର୍ଷ ଅସମ୍ଭାଳ ହେବ ତାତି

34

କନକ ବ୍ୟୁରୋ : ଓଡିଶାରେ ଏବର୍ଷ ଅସହ୍ୟ ଗରମ ଅନୁଭୂତ ହେବ । ଖରା ମାସଗୁଡିକରେ ତତଲା ତାୱା ପାଲଟିବ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶା । କାରଣ ଭାରତୀୟ ପାଣିପାଗ ବିଭାଗର ଆକଳନ, ଓଡିଶା ସମେତ ଉତ୍ତର-ପଶ୍ଚିମାଂଚଳ ରାଜ୍ୟଗୁଡିକରେ ଅଧିକ ଉତ୍ତାପ ଅନୁଭୂତ ହେବ । ଗ୍ରୀଷ୍ମ ଋତୁରେ ଅନୁଭୂତ ହେଉଥିବା ସାଧାରଣ ତାପମାତ୍ରାଠାରୁ ୧ ଡିଗ୍ରୀ ଉପରେ ରହିବ ପାରଦ ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ କରିଛି, କୋର ହିଟୱେଭ ଜୋନ୍ ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ସମେତ ୧୬ଟି ରାଜ୍ୟରେ ମାର୍ଚ୍ଚରୁ ମେ’ ମାସ ଭିତରେ ସାଧାରଣଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ।

ଚଳିତ ବର୍ଷ ଜାନୁଆରୀରେ ଅଧିକ ଉତ୍ତାପ ଅନୁଭୂତ ହୋଇଛି । ୧୧୬ ବର୍ଷ ପରେ ଅଷ୍ଟମଥର ପାଇଁ ଜାନୁଆରୀରେ ତାପମାତ୍ରା ଅଧିକ ଥିବା ରେକର୍ଡ କରିଛି ଆଇଏମଡି । ଏହିଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।

ଆଇଏମଡି ଡିଜି କେ.ଜେ. ରମେଶ ଜାତୀୟ ଗଣମାଧ୍ୟମ ଦି ହିନ୍ଦୁକୁ ଫୋନରେ ଦେଇଥିବା ପ୍ରତିକ୍ରିୟା ଅନୁସାରେ ବିଶ୍ୱ ତାପନ ଯୋଗୁଁ ଦିନକୁ ଦିନ ଏଭଳି ତାପମାତ୍ରା ବୃଦ୍ଧି ପାଉଛି । ସମୁଦ୍ର ଉପରି ଭାଗରେ ବାୟୁ ଉତପ୍ତ ରହୁଥିବାରୁ ସ୍ଥଳ ଭାଗରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

୧୯୦୧ ପରେ ୨୦୧୬ରେ ଖରାଦିନେ ହାରାହାରି ତାପମାତ୍ରଠାରୁ ୧.୩୬ ଡିଗ୍ରୀ ସେଲସିଅସ ଅଧିକ ରହିଥିଲା । ଏବେ ଜାନୁଆରୀରେ ଅନୁଭୂତ ହୋଇଥିବା ଉତ୍ତାପ ଆଗକୁ ଆହୁରି ବଢିବ ବୋଲି ସଂକେତ ମିଳିସାରିଲାଣି ।