କନକ ବ୍ୟୁରୋ : କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ । ଆଜି ବିରୋଧୀ ଇଣ୍ଡିଆ ମେଂଟ ବୈଠକରେ ଆଲୋଚନା ହେବ । ସମନ୍ୱୟ କମିଟିରେ ଥିବା ୧୪ ଜଣ ସଦସ୍ୟଙ୍କୁ ନେଇ ତିଆରି ହୋଇଥିବା କମିଟି ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବୈଠକ ବସିବ । ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଏହି ଇଣ୍ଡିଆ ମେଂଟରେ ଅନେକ ପ୍ରମୁଖ ଦଳ ରହିଛନ୍ତି । କିନ୍ତୁ ଏହି ବୈଠକକୁ ଆସୁ ନାହାନ୍ତି ଦୁଇ ଦଳର ନେତା । ଟିଏମସି ଓ ସିପିଆଇ ଏମର ନେତା ବୈଠକକୁ ଆସୁନାହାନ୍ତି । ଇଡି ସମନ କରିଥିବାରୁ ଟିଏମସିର ଅଭିଷେକ ବାନାର୍ଜୀ ବୈଠକକୁ ଆସିବେ ନାହିଁ । ସେହିପରି ଡି ରାଜା ଅନୁପସ୍ଥିତ ରହିବାର କାରଣ ଅସ୍ପଷ୍ଟ ରହିଛି ।

Advertisment

ବିଭିନ୍ନ ରାଜ୍ୟରେ ଆସନ ଗଣିତ କିଭଳି ରହିବ ଏବଂ କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବେ ସେ ନେଇ ଆଲୋଚନା ହେବ । ଦିଲ୍ଲୀ, ପଂଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାରେ ରହିଛି । ଏଠାରେ ମେଂଟର ଅନ୍ୟତମ ଦଳ କଂଗ୍ରେସ ମଧ୍ୟ ରହିଛି । ଏପରି ସ୍ଥିତିରେ ଦୁଇ ରାଜ୍ୟରେ କିଭଳି ଦୁଇ ଦଳ ପ୍ରାର୍ଥୀ ଦେବେ ଏବଂ ଦଳ ଦଳ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବେ ତାଉପରେ ଆଲୋଚନା ହେବ । କୁହାଯାଉଛି ବିରୋଧୀ ଆସନ ବୁଝାମଣା କରିବା ବେଳେ ଏକ ନିର୍ଦ୍ଦିଷ୍ଟ କୌଣସି ଫର୍ମୁଲା ତିଆରି କରିବେ ନାହିଁ । ବରଂ ରାଜ୍ୟର ରାଜନୈତିକ ପାଣିପାଗ ଏବଂ ଲୋକସଭା ଆସନର ସ୍ଥିତିକୁ ଦେଖି ନିଷ୍ପତି ନିଆଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ଶାସକ ଦଳ ଏନଡିଏ ମଧ୍ୟ ସହଯୋଗୀ ଦଳଙ୍କୁ ନେଇ ପ୍ରସ୍ତୁତି ଚଳାଇଛି ।

- କେରଳ ଓ ପଶ୍ଚିମବଙ୍ଗର ଶାସକ ଦଳ ଇଣ୍ଡିଆ ମେଂଟକୁ ନେଇ ଅସନ୍ତୁଷ୍ଟ!
- ଦୁଇ ରାଜ୍ୟରେ ଟିଏମସି ଓ ସିପିଆଇ ଏମ୍ କ୍ଷମତାରେ ରହିଛନ୍ତି
- ଜି ୨୦ ବୈଠକକୁ ମମତା ଆସିଥିବାରୁ ଅଧୀର ରଞ୍ଜନ ଉଠାଇଥିଲେ ଆପତ୍ତି
- ଟିଏମସି ଓ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗରେ ବୟାନବାଜି ଜାରି ରହିଛି
- ନୀତୀଶ, ହେମନ୍ତ ଓ ମମତା ଜି-୨୦ ନୌଶ ଭୋଜିରେ ଯୋଗଦେଇଥିଲେ
- ନୀତୀଶ ନୈଶ ଭୋଜିରେ ସାମିଲ ହେବା ରାଜନୀତିର ନୂଆ ସମ୍ଭାବନୀକୁ ଉଜ୍ଜୀବିତ ରଖିଛି
- ଭୋଜିରେ ସାମିଲ ହୋଇ ନିଜେ ଜଣେ ସ୍ୱାଧୀନ ବିଚାରଧାରର ବ୍ୟକ୍ତି ବୋଲି ବାର୍ତ୍ତା ଦେଇଛନ୍ତି
- ନୀତୀଶ ଭୋଜିରେ ସାମିଲ ହେବା ଇଣ୍ଡିଆ ମେଂଟର ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱ!
- ମମ୍ବାଇ ବୈଠକର ପ୍ରେସମିଟ୍ ବେଳେ ନଥିଲେ ମମତା ବାନାର୍ଜୀ
- ରାହୁଲ ଗାନ୍ଧୀ ଆଦାନୀ ପ୍ରସଙ୍ଗ ଉଠାଇଥିବାରୁ ମମତା ଥିଲେ ନାଖୁସ!
- ଆଦାନୀ ପ୍ରସଙ୍ଗରେ ମମତା ବାନାର୍ଜୀ ଖୋଲାଖୋଲି ବିରୋଧ କରିନାହାନ୍ତି