କନକ ବ୍ୟୁରୋ : ରବିବାର ମହାମୁକାବିଲା ଦେଖିବ ବିଶ୍ୱ । ମୈଦାନକୁ ଓହ୍ଲାଇବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ମୈଦାନକୁ ଓହ୍ଲାଇବା ସହ ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବେ ଉଭୟ ଦଳ । ସୁପର-୧୨ ପର୍ଯ୍ୟାୟରେ ଉଭୟ ଭାରତ-ପାକିସ୍ତାନ ପାଇଁ ଏହା ପ୍ରଥମ ମୁକାବିଲା । ତେବେ ଏହି ସୁପର-୧୨ ପର୍ଯ୍ୟାୟରେ ପାକିସ୍ତାନ ମ୍ୟାଚ୍ ବ୍ୟତୀତ ଆହୁରି ୪ଟି ଟିମ୍ ବିରୋଧରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଉଭୟ ଗ୍ରୁପରୁ ସୁପର-୧୨ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇଟି ଦଳ ସେମିଫାଇନାଲ ମୁକାବିଲା ଖେଳିବ ।
ଏହିକ୍ରମରେ ଭାରତ ସୁପର-୧୨ ପର୍ଯ୍ୟାୟରେ ମୋଟ ୫ଟି ମ୍ୟାଚ୍ ଖେଳିବ । ତେବେ ପୂର୍ବରୁ ୨ଟି ଟିମ ବାବଦରେ ସ୍ପଷ୍ଟ ହୋଇଥିବା ବେଳେ ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିବା ଅନ୍ୟ ୨ଟି ଟିମ୍ ସହ ଖେଳିବ ଭାରତ । ଯୋଗ୍ୟତା ପର୍ଯ୍ୟାୟରୁ ନାମ୍ବିଆ ଓ ସ୍କଟଲାଣ୍ଡ ସୁପର-୧୨ ମୁକାବିଲା ପାଇଁ ଟିକେଟ ହାସଲ କରିଛନ୍ତି । ସୁପର-୧୨ରେ ସ୍ଥାନ ପାଇବା ନାମ୍ବିଆ ପାଇଁ ଐତିହାସିକ ମୁହୂର୍ତ୍ତ । ସେହିଭଳି ସ୍କଟଲାଣ୍ଡ ମଧ୍ୟ ଦମଦାର ପ୍ରଦର୍ଶନ କରି ସୁପର-୧୨ରେ ଏଣ୍ଟ୍ରି କରିଛି ।
୨୪ ଅକ୍ଟୋବରରେ ଭାରତ ପାକିସ୍ତାନକୁ ଭେଟିବ । ସେହିଭଳି ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ, ୩ ନଭେମ୍ବରରେ ଆଫଗାନିସ୍ତାନ, ୫ ନଭେମ୍ବରରେ ସ୍କଟଲ୍ୟାଣ୍ଡ, ୮ ନଭେମ୍ବରରେ ନାମ୍ବିଆ ସହ ଖେଳିବ ଭାରତ । ଚଳିତ ଟି-୨୦ ବିଶ୍ୱକପରେ ଟାଇଟାଲ ରେସର ପ୍ରମୁଖ ଦାବିଦାର ଟିମ୍ ଇଣ୍ଡିଆ ରହିଛି । ତେବେ ଏଥିପାଇଁ ଭାରତକୁ ସୁପର-୧୨ ପର୍ଯ୍ୟାୟରୁ ହିଁ ଭଲ ପ୍ରଦର୍ଶନ କରିବାକୁ ପଡିବ । କାରଣ ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଟିମ୍ ସହ ରହିଛି ।