ଭାରତ କରିପାରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ! ଜେନେରାଲ ଆମ୍ବୁଙ୍କ ସତର୍କ ସୂଚନା

71

କନକ ବ୍ୟୁରୋ: ପୁଣିଥରେ ହୋଇପାରେ ସର୍ଜିକାଲ ଷ୍ଟ୍ରାଇକ । ଆତଙ୍କବାଦକୁ ରୋକିବାକୁ ପୁଣି ଥରେ ଏଲଓସି ଡେଇଁବାକୁ ବାଧ୍ୟହେବେ ଭାରତୀୟ ଯବାନ । ଏଭଳି ସଙ୍କେତ ଦେଇଛନ୍ତି ନର୍ଥେନ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଏଲଟି. ଆମ୍ବୁ । ସେ କହିଛନ୍ତି ଯଦି ପଡୋଶୀ ଦେଶରୁ ଆତଙ୍କବାଦର ବିଲୋପ ନହୁଏ ତେବେ ଆମ ସେନା ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ବାଧ୍ୟ ହେବ ।

ଉଦ୍ଧମପୁର ଠାରେ ମିଡିଆକୁ ସମ୍ବୋଧନ କଲାବେଳେ ଜେନେରାଲ ଆମ୍ବୁ ପରୋ୪ରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଥରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ସାରା ବିଶ୍ୱ ଭାରତର ଶକ୍ତି ଦେଖିଛନ୍ତି । ତେଣୁ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ପାଇଁ ଆମ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଭାରତ ଆତଙ୍କବାଦ ପରିପନ୍ଥିର ବିରୋଧୀ । ତେଣୁ ଆର୍ନ୍ତଜାତୀୟ ସ୍ତରରେ ଆତଙ୍କବାଦକୁ ଭାରତ ବିରୋଧ କରୁଛି । ଗତ ଦୁଇଦିନ ତଳେ ଚୀନର ବ୍ରିକ୍ସ ସମ୍ମିଳନୀରେ ବି ଆତଙ୍କବାଦ ପ୍ରସଙ୍ଗରେ ମୋଦି ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ ସମ୍ମିଳନୀରେ ବ୍ରିକ୍ସ ଦେଶମାନେ ଆତଙ୍କବାଦକୁ ନିପାତ କରିବାକୁ ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା । ଚୀନ ମଧ୍ୟ ଏହାକୁ ସମର୍ଥନ କରୁଛି । ସେପଟେ ପାକିସ୍ତାନରୁ ହିଁ ଆତଙ୍କବାଦୀ ସଂଗଠନ ପରିଚାଳିତ ହେଉଥିବା ପରୋକ୍ଷରେ ମାନିଛନ୍ତି ସମସ୍ତେ ।

ପାକିସ୍ତାନ ମାଟିରେ ଗତବର୍ଷ ଭାରତୀୟ ସେନା ପଶି ସର୍ଜିକାଲ ଷ୍ଟ୍ରାଇକ କରିବା ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଥିଲା । ରାତିର ଅନ୍ଧାରରେ ଶତ୍ରୁ ମୂଲକରେ ପଶି ଶତ୍ରୁକୁ ନିପାତ କରି ପୁଣି ଅକ୍ଷତ ଫେରି ଆସିଥିଲେ ଭାରତୀୟ ସେନା । ଯାହାକୁ ନେଇ ଅନେକ ପ୍ରଶଂସା ବି କରିଥିଲେ । ଏବେ ପୁଣିଥରେ ଏଭଳି ଷ୍ଟ୍ରାଇକ ହେବାକୁ ଯାଉଥିବା ବେଳେ ସେନାର ରଣନୀତି କଣ ରହିବ ତାହାକୁ ନେଇ ଆକଳନ କରାଯାଉଛି ।

ସେହିପରି ସେନାମୁଖ୍ୟ ବିପିନ ରାୱତ ବି ସେନାକୁ ସତର୍କ କରାଇଛନ୍ତି । ଏକା ସମୟରେ ପାକିସ୍ତାନ ଓ ଚୀନ ସହ ଯୁଦ୍ଧ ହୋଇପାରେ ବୋଲି ସେ କହିଛନ୍ତ ନୂଆ ଦିଲ୍ଲୀରେ ଏକ ସେମିନାରରେ ଯୋଗ ଦେଇ ଏହା କରିଛନ୍ତି ଜେନେରାଲ ରାୱତ । ପରମାଣୁ ଅସ୍ତ୍ର ଥିବା କିମ୍ବା ପଡୋଶୀ ଗଣତାନ୍ତ୍ରିକ ଦେଶ ସହ ଯୁଦ୍ଧ ହେବ ନାହିଁ ଭାବିବା ଭୁଲ ବୋଲି ସେନା ମୁଖ୍ୟ କହିଛନ୍ତି । ତେଣୁ ସେନାବାହିନୀକୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ସେନାମୁଖ୍ୟ ।

ସେ କହିଛନ୍ତି, ପଡୋଶୀ ପାକିସ୍ତାନ ସର୍ବଦା ଭାରତ ସହ ଛାୟା ଯୁଦ୍ଧ ଜାରି ରଖିଥିବା ବେଳେ ସେ କେବେ ବି ସୁଧୁରିବ ନାହିଁ । ପାକିସ୍ତାନ ଭାରତକୁ ତାର ସବୁଠାରୁ ବଡ ଶତ୍ରୁ ମନେକରେ ବୋଲି କହିଛନ୍ତି ଜେନେରାଲ ରାୱତ । ଭାରତ ସହ ପାକିସ୍ତାନର ମତଭେଦ ଦୂର ହେବା ସମ୍ଭାବନା କ୍ଷୀଣ ବୋଲି ସେ କହିଛନ୍ତି । ଅନ୍ୟପଟେ ଡୋକଲାମ ବିବାଦ ପ୍ରସଙ୍ଗରେ ସେ କହିଛନ୍ତି, ଚୀନ ନିଜକୁ ଅଧିକ ପ୍ରସ୍ତୁତ କରୁଛି ଏବଂ ଆଗାମୀ ଦିନରେ ଚୀନ ପୁର୍ନବାର ଭାରତୀୟ ସୀମାରେ ଅନୁପ୍ରବେଶ କରିବା ସମ୍ଭାବନା ରହିଛି ।

ତେବେ ଚୀନ୍ ଆଗକୁ ଭାରତୀୟ ସୀମାର ଅନେକ ସ୍ଥାନରେ ଏକାଥରେ ପ୍ରବେଶ କରିବ ବୋଲି ସେନାମୁଖ୍ୟ ସନ୍ଦେହ କରୁଛନ୍ତି । ଚୀନର ଏହି ଚାଲାକିକୁ ପ୍ରତିହତ କରିବା ପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେନାମୁଖ୍ୟ ସତର୍କ ବାଣୀ ଶୁଣାଇଛନ୍ତି । ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିପାରେ ବୋଲି ସେ କହିଛନ୍ତି । ତେଣୁ ଭାରତୀୟ ସେନା ସବୁ ପରିସ୍ଥିତି ପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।