ଭାରତକୁ ମିଳିବ ଆଉ ଏକ ବଡ ଅସ୍ତ୍ର । ଏସ୍-୫୦୦ ଏବଂ ଏସ୍-୫୫୦ ଦେବ ଋଷ୍

146

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା ।

ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ-୫୦୦ ଓ ଏସ-୫୫୦ ସାମ୍ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇପାରେ । ଏ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ । ଏହି ପ୍ରସ୍ତାବରେ ଭାରତ ରାଜି ହେଲେ ଏସ-୫୦୦ ଓ ଏସ-୫୫୦ ପାଇବାରେ ଭାରତ ହେବ ବିଶ୍ବର (ଋଷିଆ ପରେ) ପ୍ରଥମ ଦେଶ । ପୁଣି ଏହି ଅତ୍ୟାଧୁନିକ ସିଷ୍ଟମକୁ କେବଳ ଭାରତ ଛଡ଼ା ଆଉ କାହାକୁ ଦେବାକୁ ଋଷିଆ ପ୍ରସ୍ତାବ ଦେଇନାହିଁ ।

ଏସ-୫୦୦ ଏକ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଯାହାକି ୬୦୦ କିଲୋମିଟର ଦୂରରୁ ଶତ୍ରର ବାଲିଷ୍ଟିକ ମିସାଇଲ, ହାଇପରସୋନିକ କ୍ରୁଜ ମିସାଇଲ ଓ ବିମାନକୁ ଧ୍ବଂସ କରିବାକୁ ସକ୍ଷମ । ଭାରତ ଋଷିଆଠାରୁ ଏସ-୪୦୦ କିଣିସାରିଛି ଓ ଇତି ମଧ୍ୟରେ ଏହାର ଡେଲିଭରୀ ଆରମ୍ଭ ହୋଇଯାଇଛି । ଏହାର ରେଞ୍ଜ୍ ପ୍ରାୟ ୪୦୦ କିଲୋମିଟର । ଏସ-୪୦୦ ତୁଳନାରେ ଏସ-୫୦୦ ଓ ଏସ୫୫୦ ଆହୁରି ଶକ୍ତିଶାଳୀ ହୋଇଥିବାରୁ ତାହା ମିଳିଲେ ଭାରତର ବାୟୁସୀମା ଆହୁରି ଅଭେଦ୍ୟ ହୋଇପାରିବ ବୋଲି ସାମରିକ ବିଶେଷଜ୍ଞମାନେ କହୁଛନ୍ତି ।