କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରିଲା ଭାରତ । ରୋହିତ ବାହିନୀକୁ ପ୍ରଥମ ଟେଷ୍ଟରେ ୨୮ ରନରେ ହରାଇଛି ଷ୍ଟୋକ୍ସ ବାହିନୀ । ତେବେ ଶେଷ ଆଡକୁ ଭାରତ ମ୍ୟାଚ୍ ଜିତିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ, ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି । ଏଥିସହିତ ସିରିଜରେ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ହେଇଛି ।
ତେବେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ, ରବିଚନ୍ଦ୍ରନ ଅଶ୍ବିନ , ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଲଢୁଆ ମନୋଭାବ ନେଇ ଖେଳିଥିଲେ ମଧ୍ୟ ନିଜ ଟିମକୁ ବିଜୟ ଦେଇ ପାରି ନାହାନ୍ତି । ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍ ସଂଗ୍ରହ କରିଥିଲା। ଭାରତ ପ୍ରଥମ ପାଳିରେ ୪୩୬ ରନ୍ କରିଥିଲା। ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ୨୦୨ ରନରେ ଅଲଆଉଟ୍ ହୋଇଥିଲା।
It came right down to the wire in Hyderabad but it's England who win the closely-fought contest.#TeamIndia will aim to bounce back in the next game.
Scorecard ▶️ https://t.co/HGTxXf8b1E#INDvENG | @IDFCFIRSTBankpic.twitter.com/OcmEgKCjUT
— BCCI (@BCCI) January 28, 2024
ଭାରତ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ଓଲଟା ପରିସ୍ଥିତି ଥିଲା। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଭଲ ଖେଳିଥିଲେ। ପ୍ରଥମ ୱିକେଟରେ ଭଲ ଭାଗିଦାରୀ କରିଥିଲେ। ସ୍କୋର ୪୨ ରନରେ ଯଶସ୍ବୀ ଆଉଟ୍ ହୋଇଥିଲେ। ସେ ୩୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍ କରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ଯୁବ ବ୍ୟାଟର ଗିଲ୍ ୨ଟି ବଲ୍ ସାମ୍ନା କରି ଖାତା ଖୋଲିପାରି ନଥିଲେ। ଭାରତର ସ୍କୋର ୬୩ ରନ୍ ଥିଲା ବେଳେ ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ୫୮ଟି ବଲ୍ ଖେଳି ୭ଟି ଚୌକା ସହାୟତାରେ ୩୯ ରନ୍ କରିଥିଲେ। ଏହାପରେ କେଏଲ ରାହୁଲ ୨୨ରନ୍, ଅକ୍ଷର ପଟେଲ ୧୭ ରନ୍, ଶ୍ରେୟସ ଆୟର ୧୩ ରନ୍ ଓ ରବୀନ୍ଦ୍ର ଜାଦେଜା ୨ ରନ୍ କରିଥିଲେ।
ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲି ସର୍ବାଧିକ ୭ଟି ୱିକେଟ୍ ନେଇଥିଲେ। ସେହିପରି ଜୋଏ ରୁଟ ଓ ଜ୍ୟାକ୍ ଲିଚ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଶୃଙ୍ଖଳାର ୨ୟ ମୁକାବିଲା ଆନ୍ଧ୍ରପ୍ରଦେଶର ବିଶାଖାପାଟନମସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମରେ ଆସନ୍ତା ଫେବ୍ରୁଆରି ୨ ତାରିଖରୁ ଖେଳାଯିବ।