ଟି-୨୦ ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶଠୁ ହାରିଲା ଭାରତ । ନିରାଶ କଲେ ଭାରତୀୟ ବ୍ୟାଟ୍ସମ୍ୟାନ୍, ରୋକିପାରିଲେନି ବୋଲର ।

297

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ପ୍ରଥମ ପରାଜୟ । ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ବାଜି ମାରି ନେଇଛି ବାଂଲାଦେଶ । ସକିବ-ଅଲ୍-ହାସନ ଓ ତମିମ୍ ଇକବାଲଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସତ୍ୱେ ବିଜୟୀ ହୋଇଛି ବାଂଲାଦେଶ । ଏହି ବିଜୟ ସହ ଭାରତ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଏହି ଦଳ ୭ୱିକେଟରେ ଜିତି ନେଇଛି ।

ଟି-୨୦ ଇତିହାସରେ ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ବିଜୟ । ଏହା ପୂର୍ବରୁ ଭାରତ ବିପକ୍ଷରେ ବାଂଲାଦେଶ ଆଠଟି ଟି-୨୦ ଖେଳି ପ୍ରତିଥର ପରାଜିତ ହୋଇଥିଲା । ନବମ ଲଢ଼େଇରେ ହିଁ ଏହି ଦଳ ବିଜୟର ସ୍ୱାଦ ଚାଖିଛି । ଦିଲ୍ଲୀ ବିଜୟ ସହ ବାଂଲାଦେଶ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି । ବାଂଲାଦେଶ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଭାରତକୁ ପ୍ରଥମେ ୬ ୱିକେଟରେ ୧୪୮ ରନରେ ଅଟକାଇ ଦେଇଥିଲା । ଏହାପରେ ଅଭିଜ୍ଞ ଖେଳାଳି ମୁସଫିକର ରହିମ ୬୦ ରନ୍ କରିବା ସହ ବାଂଲାଦେଶକୁ ବିଜୟ ଉପହାର ଦେଇଥିଲେ । ବାଂଲାଦେଶକୁ ଶେଷ ୨ ଓଭରରୁ ୨୨ରନ ଆବଶ୍ୟକ ହେଉଥିଲା । ଖଲିଲ ଅହମ୍ମଦଙ୍କ ଉନ୍ନବିଂଶ ଓଭରରେ ଲଗାତାର ଚାରିଟି ଚୌକା ମାରିଥିଲେ । ତାପରେ ଶେଷ ଓଭରରେ ତୃତୀୟ ବଲକୁ ଛକା ମାରି ମହମ୍ମଦୁଲା ୩ଟି ବଲ୍ ଥାଇ ଦଳକୁ ବିଜୟୀ କରିଥିଲେ ।