କରୋନା ଦ୍ୱିତୀୟ ଲହରରେ ଗଲାଣି ୨୬୯ ଜଣ ଡାକ୍ତରଙ୍କ ଜୀବନ, ଆଇଏମଏ ଦେଲା ସୂଚନା । ବିହାରରେ ସର୍ବାଧିକ ଡାକ୍ତରଙ୍କ ମୃତ୍ୟୁ ।

75

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜୀବନ ଯାଉଛି । ଆଉ ଏହି ତାଲିକାରେ କରୋନା ଯୋଦ୍ଧା ଭାବେ ମାନ୍ୟତା ପାଇଥିବା ଅନେକ ଡାକ୍ତର ମଧ୍ୟ ରହିଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭାରତ ୨୬୯ ଜଣ କରୋନା ଯୋଦ୍ଧା ବା ଡାକ୍ତରଙ୍କ ହରାଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) । ଆଇଏମଏ ଦେଇଥିବା ତଥ୍ୟ ଅନୁଯାୟୀ ବିହାର ଏବଂ ଉତ୍ତରପ୍ରଦେଶରେ ଡାକ୍ତରଙ୍କ ମୃତ୍ୟୁସଂଖ୍ୟା ଅଧିକ ରହିଛି । ବିହାରରେ ୭୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୩୭ ଜଣଙ୍କର ଦ୍ୱିତୀୟ ଲହରରେ ମୃତ୍ୟୁ ଘଟିଛି।

ଦ୍ୱିତୀୟ ଲହରରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଦିଲ୍ଲୀରେ କୋଭିଡ -୧୯ କାରଣରୁ ୨୮ ଡାକ୍ତରଙ୍କ ମୃତ୍ୟୁ ଘଟିଥିବାର ଦେଖାଯାଇଛି। ଗତ ବର୍ଷ କୋଭିଡ -୧୯ର ପ୍ରଥମ ଲହରରେ ଭାରତ ୭୪୮ ଡାକ୍ତରଙ୍କୁ ହରାଇଥିଲା। ଆଇଏମଏ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ କାରଣରୁ ୧୦୦୦ ଡାକ୍ତରଙ୍କ ମୃତ୍ୟୁ ଘଟିଛି, ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ କାରଣ ଡାକ୍ତର ସଂଘ କେବଳ ୩.୫ ଲକ୍ଷ ସଦସ୍ୟଙ୍କ ରେକର୍ଡ ରଖିଛି। କିନ୍ତୁ ଭାରତରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଅଛନ୍ତି।