କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ତଳମୁହାଁ । ଅଧିକାଂଶ ରାଜ୍ୟରେ କରୋନା ସଂକ୍ରମଣ ଦୁର୍ବଳ ହେବା ସହିତ ପଜିଟିଭିଟି ରେଟ୍ ମଧ୍ୟ ତଳମୁହାଁ ରହିଛି । ହେଲେ କେରଳ ଏବଂ ମିଜୋରାମରେ ପଜିଟିଭିଟି ରେଟ୍ ବଢୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରୁ ଏହି ସୂଚନା ମିିଳିଛି । ଦେଶର ୨୯୭ ଜିଲ୍ଲାରେ କୋଭିଡ୍ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଉପରେ ଥିବା ବେଳେ ୧୬୯ଟି ଜିଲ୍ଲାରେ ୫ରୁ ୧୦ ପ୍ରତିଶତ ରହିଛି ପଜିଟିଭିଟି ରେଟ୍ ।

Advertisment

୨୬୮ ଜିଲ୍ଲାରେ ପଜିଟିଭିଟି ୫ ପ୍ରତିଶତ ତଳେ ରହିଛି । ବିଗତ ୨୪ ଘଂଟା ମଧ୍ୟରେ ୮ ରାଜ୍ୟରେ ୫୦ ହଜାରରୁ ଅଧିକ ସଂକ୍ରମିତ ସକ୍ରିୟ ରହିଥିବାବେଳେ ୧୨ ରାଜ୍ୟରେ ୧୦ରୁ ୫୦ ହଜାର ସକ୍ରିୟ ରହିଛନ୍ତି । କେରଳ ଏକାକୀ ରାଜ୍ୟ ଯେଉଁଠି କରୋନା ସକ୍ରିୟ ସଂଖ୍ୟା ସବୁଠୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ଦେଶର ୩୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଏବେ ସଂକ୍ରମଣ ହାର ତଳ ମୁହାଁ ରହିଛି ।

ଏହି ସବୁ ସ୍ଥାନରେ ଟିପିଆର ମଧ୍ୟ କମୁଛି । ନିୟମିତ ଭାବେ ସଂକ୍ରମଣ କମିବା, ଟିପିଆର ଓ କରୋନା ସକ୍ରିୟ ସଂଖ୍ୟା କମିବା ଦେଶ ପାଇଁ ଭଲ ଲକ୍ଷଣ । ଅଧିକାଂଶ ଲୋକ ଟିକା ନେଇଥିବାରୁ ମୃତ୍ୟୁ ହାର ବଢୁନାହିଁ ବୋଲି ଲବ ଅଗ୍ରୱାଲ କହିଛନ୍ତି । ସେହିପରି ୬୫ ପ୍ରତିଶତ କିଶୋର କୋଭିଡର ପ୍ରଥମ ଡୋଜ ନେଇଥିବା ସୂଚନା ରହିଛି ।