ବର୍ତ୍ତମାନ ସାରାଦେଶରେ ଲାଗିବ ନାହିଁ ଲକଡାଉନ୍ : ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟଗୁଡିକ ନେବେ ପଦକ୍ଷେପ 

୧୦ଟି ରାଜ୍ୟରେ ଲାଗିଛି ଲକଡାଉନ ଭଳି କଟକଣା ; ସଂକ୍ରମଣର ଚେନ ଭାଙ୍ଗିବାକୁ ଦେଶବ୍ୟାପୀ ଲକଡାଉନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ  

1,044

କନକ ବ୍ୟୁରୋ : ସାରାଦେଶରେ ଦୈନିକ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ କରୁଥିବା ସତ୍ୱେ ବର୍ତ୍ତମାନ ଦେଶବ୍ୟାପୀ ଲକଡାଉନର ଯୋଜନା ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ସୂତ୍ରରୁ ଏଭଳି ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ । ସଂକ୍ରମଣକୁ ଦେଖି ରାଜ୍ୟ ସରକାରଗୁଡିକ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଥିବାରୁ ଦେଶବ୍ୟାପୀ ଲକଡାଉନର ଆବଶ୍ୟକତା ନାହିଁ ।

ତେବେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଦେଶର ସ୍ୱାସ୍ଥ୍ୟ ଭିତିଭୂମି ଉପରେ ପ୍ରବଳ ଚାପ ପକାଉଛି । ହସ୍ପିଟାଲରେ ବେଡ୍ ମିଳୁନି, ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ମିଳୁନି ଏପରିକି ମୃତକଙ୍କ ପାଇଁ ଶ୍ମଶାନରେ ଜାଗା ମିଳୁନି । ଏଭଳି ପରିସ୍ଥିତିରେ ଗତବର୍ଷ ଭଳି ଲକଡାଉନ ଲଗାଇ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଅନେକ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଆମେରିକା ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା ଆନ୍ଥୋନି ଫସି କହିଥିଲେ, ଭାରତରେ ସଂକ୍ରମଣ ରୋକିବାକୁ ହେଲେ କିଛି ମାସର ଶକ୍ତ ଲଡକାଉନ କଟକଣା ଜରୁରୀ ।

ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଶକ୍ତ ଲକଡାଉନ ପ୍ରସ୍ତାବ ଦେଇ ଆସୁଛନ୍ତି । ବର୍ତ୍ତମାନ ପ୍ରାୟ ୧୦ଟି ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ଘୋଷଣା କରାଯାଇଛି । କିନ୍ତୁ ଦେଶବ୍ୟାପୀ ଲକଡାଉନ ଲଗାଇଲେ ଏହା ଅର୍ଥନୀତିକୁ ଦୁର୍ବଳ କରିଦେବ । ରୋଜଗାର ଛଡାଇ ନେବା ସହ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ବଢାଇଦେବ ବୋଲି ଆଶଙ୍କା କରି କେନ୍ଦ୍ର ସରକାର ସାରାଦେଶରେ ଲକଡାଉନ ଲଗାଇବା ସପକ୍ଷରେ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ବାରମ୍ବାର ଦେଶବ୍ୟାପୀ ଲକଡାଉନ ଲଗାଇବା ପାଇଁ ପ୍ରସ୍ତାବ ଦେଇଆସୁଛନ୍ତି । କାରଣ କ୍ରମାଗତ ସଂକ୍ରମଣ ବଢିଚାଲିଥିବାରୁ ଏହାକୁ ସମ୍ଭାଳିବା ଦେଶର ସ୍ୱାସ୍ଥ୍ୟ ଭିତିଭୂମି ପକ୍ଷରେ ସମ୍ଭବ ହେବନାହିଁ ବୋଲି ସେ ଆଶଙ୍କା କରୁଛନ୍ତି ।