କନକ ବ୍ୟୁରୋ : କୋଭିଡ୍-୧୯ ଟୀକା ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଦେଖି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ବିଲ୍ ଗେଟ୍ସ କହିଛନ୍ତି କି ବିଶ୍ୱକୁ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ସାହାଯ୍ୟର ଆବଶ୍ୟକତା ରହିଛି । ଯେହେତୁ ଭାରତ ବିଶ୍ୱର ଅନ୍ୟତମ ବୃହତ ଟିକା ଉତ୍ପାଦନକାରୀ ତେଣୁ ବହୁଳ ପରିମାଣର କୋଭିଡ୍ ଟିକା ପ୍ରସ୍ତୁତ କରିବା ଲାଗି ଭାରତର ସହାୟତା ଅବଶ୍ୟ ପ୍ରଯୋଜନୀୟ ।
ବିଲ୍ ଗେଟ୍ସ ଏକ ଗଣମାଧ୍ୟମ ସଂସ୍ଥାରେ ନିଜର ମତ ରଖି କହିଛନ୍ତି କି ‘ଭାରତ ଏକ ଅଗ୍ରଣୀ ଟିକା ଉତ୍ପାଦନକାରୀ ରାଷ୍ଟ୍ର । ଆମକୁ କୋଭିଡ -୧୯ ଟିକା ପ୍ରସ୍ତୁତ କରିବାରେ ଭାରତର ସହଯୋଗ ଆବଶ୍ୟକ । କୋଭିଡ୍-୧୯ ଟିକା ପାଇଁ ଆବଶ୍ୟକୀୟ କିଛି କ୍ଷମତାର ଉପଲବ୍ଧତା ପାଇଁ ବିଶ୍ୱ ଭାରତ ଉପରେ ଦୃଷ୍ଟି ରଖିଛି ।’
ବିଲ୍ ଗେଟ୍ସ ଆହୁରି ବି କହିଛନ୍ତି ଯେ ଆସନ୍ତାବର୍ଷ ଭାରତରେ କୋଭିଡ୍-୧୯ ଟିକା ବାହାରିବାର ଅନେକ ସମ୍ଭାବନା ରହିଛି । ଭାରତ ଯଥାସମ୍ଭବ ଏହି ଟିକାକୁ ତୁରନ୍ତ ବାହାର କରୁ ବୋଲି ଆମେ ସମସ୍ତେ ଚାହୁଁଛୁ । ଆସନ୍ତାବର୍ଷ ପ୍ରଥମ ତ୍ରୈମାସିକରେ ଅନେକ ଟିକା ଉତ୍ପାଦନକାରୀ କମ୍ପାନି ଟିକା ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି ବୋଲି ଆଶାବାଦୀ ଅଛନ୍ତି ବିଲ୍ ଗେଟ୍ସ ।
ଭାରତରେ ଏବେ ୩ଟି ବଡ଼ କମ୍ପାନି ଟିକା ଉତ୍ପାଦନ କ୍ଷେତ୍ରରେ କାମ କରୁଛନ୍ତି । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ୱର ଅନ୍ୟତମ ବୃହତ୍ତମ ସହାୟତା ପ୍ରଦାନକାରୀ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସାରା ବିଶ୍ୱରେ କାର୍ଯ୍ୟ କରିଆସୁଛି । ଭାରତରେ, କୋଭିଡ -୧୯ ଟିକା ଉତ୍ପାଦନ ଏବଂ ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ ଫାଉଣ୍ଡେସନ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ହାତ ମିଳାଇ ସହଭାଗୀ ହୋଇଥିବା ସୂଚନା ରହିଛି ।