ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲର ଶୀର୍ଷରେ ଟିମ୍ ଇଣ୍ଡିଆ । ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ପଡୋଶୀ ପାକିସ୍ତାନ ।

232

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ତାଲିକାରେ ଏବେ ଶୀର୍ଷରେ ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି ବିରାଟ ବାହିନୀ । ଲଡର୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୧୫୧ ରନରେ ଇଂଲଣ୍ଡକୁ ମାତ୍ ଦେଇ ବିଜୟ ହାସଲ କରିଥିଲା । ଆଉ ଏହି ମ୍ୟାଚରେ ବିଜୟୀ ହୋଇ ଭାରତ ୧୨ ପଏଣ୍ଟ ହାସଲ କରିଥିଲା । ସେହିଭଳି ପ୍ରଥମ ମ୍ୟାଚ୍ ଡ୍ର ହେବା କାରଣରୁ ଭାରତକୁ ୪ ପଏଣ୍ଟ ମିଳିଥିଲା । ତେବେ ଭାରତକୁ ୧୬ ପଏଣ୍ଟ ବଦଳରେ ୧୪ ପଏଣ୍ଟ ମିଳିଛି । କାରଣ ସ୍ଲୋ ଓଭର ପାଇଁ ଟିମ୍ ଇଣ୍ଡିଆର ୨ ଅଙ୍କ କାଟି ଦିଆଯାଇଛି । ଏହାସତ୍ତେ୍ୱ ମଧ୍ୟ ଭାରତ ୧୪ ପଏଣ୍ଟ ପାଇଁ ତାଲିକାର ଶୀର୍ଷରେ ରହିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟରୁ ଗୋଟିଏ ଓଭର ବି କମ ପକାଇଲେ ଟିମକୁ ଗୋଟିଏ ଅଙ୍କ ହରାଇବାକୁ ପଡିବ ।ସେହିଭଳି ପ୍ରତ୍ୟେକ ମ୍ୟାଚ୍ ବିଜୟୀ ହେଲେ ୧୨ ଅଙ୍କ, ଟାଇ ହେଲେ ୬ ଅଙ୍କ ଓ ଡ୍ର ହେଲେ ୪ ଅଙ୍କ ମିଳିବ । ସେହିଭଳି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଭାରତର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ଜିତିବା ପରେ ପାକିସ୍ତାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି । ସେହିଭଳି ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ ଓ ଚତୁର୍ଥ ସ୍ଥାନରେ ଇଂଲଣ୍ଡ ରହିଛି । ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍ ଡ୍ର କରିଥିଲେ ସୁଦ୍ଧା ସ୍ଲୋ ଓଭର ପାଇଁ ୨ ପଏଣ୍ଟ ହରାଇଛି । ଏବେ ମାତ୍ର ୨ ପଏଣ୍ଟ ସହ ଭାରତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟ ଟିମ୍ ଯେହେତୁ କୌଣସି ସିରିଜ ଏଯାବତ୍ ଖେଳିନାହାନ୍ତି ତେଣୁ ପଏଣ୍ଟ ଟେବୁଲରେ ସାମିଲ ହୋଇନାହାନ୍ତି । ତେବେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ନିଜର ଦାବିଦାର ଆହୁରି ଦୃଢ କରିବାକୁ ଭାରତ ପାଖରେ ସୁଯୋଗ ରହିଛି ।