ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।

148

କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ ପ୍ରକ୍ରିୟା । କାରଣ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ପାଖରେ କିପରି ଟିକା ପହଂଚିବ ତାକୁ ପ୍ରାଥମିକତା ଦେଉଛନ୍ତି ସରକାର ।

ଯଦି ଆମେରିକା ସହିତ ଏହି ଟିକାକରଣ ପ୍ରକ୍ରିୟାକୁ ତୁଳନା କରାଯାଏ ତେବେ ଭାରତ ବେଶ ଯୋଜନାବଦ୍ଧ ଭାବେ ଏହି କ୍ଷେତ୍ରରେ ଆଗଉଛି । ଟିକାକରଣ ଆରମ୍ଭ ହେବା ପୂର୍ବରୁ ସାରାଭାରତରେ ଚାଲିଛି ଡ୍ରାଏ ରନ । ଡ୍ରାଏ ରନ ବା ଡ୍ରିଲ ଚାଲିଥିବା ସମୟରେ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ଖୋଜି ବାହାର କରାଯାଉଛି ଯାହା ଫଳରେ ଟିକାକରଣ ଯେପରି ସଫଳ ହୋଇପାରିବ ସେ ଦିଗରେ ସରକାର ବେଶ ଯତ୍ନବାନ ଅଛନ୍ତି । ଟିକାକରଣ ବୁଥରେ ଉଚିତ ତାପମାତ୍ରାରେ କିପରି ଟିକା ପହଂଚି ପାରିବ ସେନେଇ ପ୍ରୟାସ ଜାରି ରହିଛି ।

କିନ୍ତୁ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଥିବା ଆମେରିକାରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏତେଟା ବ୍ୟବସ୍ଥିତ ହୋଇଥିବା ଜଣାପଡୁନାହିଁ । ବିଶେଷଜ୍ଞମାନେ ଆକଳନ କରୁଛନ୍ତି, ପୁରା ଟିକାକରଣ ପ୍ରକ୍ରିୟା ଆମେରିକାରେ ଶେଷ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯିବ । କାରଣ ଆମେରିକା ସରକାର ସେପରି କିଛି ଯୋଜନା ନକରି ଟିକାକରଣ ଆରମ୍ଭ କରିଦେଇଛନ୍ତି ।

ଏ ଦୃଶ୍ୟ ହେଉଛି ଫ୍ଲୋରିଡାର । ଥଣ୍ଡା କାକରରେ ଲୋକେ କୋଭିଡ ଟିକା ନେବା ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି । ଏପଟେ କାଲିଫଣ୍ଣିଆରେ ହସ୍ପିଟାଲ ଗୁଡିକରେ ଆବଶ୍ୟକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି ଟିକାକରଣ ପ୍ରକ୍ରିୟାରେ କାମ କରିବା ପାଇଁ । ଯାହାକି ଚିନ୍ତାଜନକ ବିଷୟ ହୋଇଛି ।

ସବୁଠୁ ବଡ ସମସ୍ୟା ସୃଷ୍ଟି ହୋଇଛି ଟିକାର ପରିବହନକୁ ନେଇ । ସ୍ଥିତି ଏପରି ହୋଇଛି ଯେ ଯିଏ ଟିକା ପାଇଗଲା ସେ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛି । ଏପରି ସ୍ଥିତିରେ ସବୁଠୁ ବଡ ପ୍ରଶ୍ନ ହୋଇଛି ଆମେରିକାରେ ଟିକା ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଂଚିପାରିବ ତ ଟିକା ।