ଭାରତ ବିଶ୍ୱର ୪ର୍ଥ ଶକ୍ତିଶାଳୀ ସାମରିକ ରାଷ୍ଟ୍ର: ‘ମିଲ୍ଟାରି ଡାଇରେକ୍ଟ୍’ ଅଧ୍ୟୟନ, ଚୀନରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା
କନକ ବ୍ୟୁରୋ : ଭାରତ ବିଶ୍ୱର ୪ର୍ଥ ଶକ୍ତିଶାଳୀ ସାମରିକ ରାଷ୍ଟ୍ର ଭାବେ ତାଲିକାଭୁକ୍ତ ହୋଇଥିବା କଥା ରବିବାର ଦିନ ପ୍ରତିରକ୍ଷା ଓ୍ଵବ୍ସାଇଟ୍ ‘ମିଲିଟାରି ଡାଇରେକ୍ଟ୍’ ରିଲିଜ୍ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି। ଚୀନ୍ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ସେନା ଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।
ବିପୁଳ ପରିମାଣର ସାମରିକ ବଜେଟ୍ ଥାଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ୭୪ ପଏଣ୍ଟ୍ ପାଇ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ୬୯ ପଏଣ୍ଟ୍ ପାଇ ତା’ ପଛକୁ ରହିଛି ରୁଷ୍। ଭାରତ ୬୧ ପଏଣ୍ଟ୍ ପାଇ ଚତୁର୍ଥ ସ୍ଥାନରେ ଥିବା ବେଳେ ୫୮ ପଏଣ୍ଟ୍ ହାସଲ କରି ଫ୍ରାନ୍ସ୍ ୫ମ ସ୍ଥାନରେ ରହିଛି। ଏହାଛଡ଼ା, ୪୩ ପଏଣ୍ଟ୍ ପାଇ ୯ମ ସ୍ଥାନରେ ଥିବା ଇଂଲଣ୍ଡ୍ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ସ୍ଥାନ ପାଇଛି ବୋଲି ଏହି ଅଧ୍ୟୟନରେ ଉଲ୍ଲେଖ ଅଛି।
ବଜେଟ୍ ସମେତ ନିଷ୍କ୍ରିୟ ଏବଂ ସକ୍ରିୟ ସାମରିକ କର୍ମଚାରୀ, ସମୁଦାୟ ବାୟୁ, ଜଳ ଓ ସ୍ଥଳ ଏବଂ ଆଣବିକ ସମ୍ବଳ, ହାରାହାରି ବେତନ, ସାମରିକ ଉପକରଣ ଭଳି ବିଭିନ୍ନ କଥାକୁ ବିଚାର କରାଯାଇ ଏହି ‘ଅଲ୍ଟିମେଟ୍ ମିଲିଟାରି ଷ୍ଟ୍ରେଙ୍ଗ୍ଥ୍ ଇଣ୍ଡେକ୍ସ୍’କୁ ହିସାବ କରାଯାଇଛି।
ଏହି ‘ଇଣ୍ଡେକ୍ସ୍’ର ୧୦୦ ପଏଣ୍ଟ୍ରୁ ୮୨ ପଏଣ୍ଟ୍ ହାସଲ କରି ଚୀନ୍ ସେନା ବିଶ୍ୱରେ ସବୁଠୁ ବଳିଷ୍ଠ ହୋଇଛି ବୋଲି ଏଥିରେ ଉଲ୍ଲେଖ ଅଛି।
ସେନା ପାଇଁ ବାର୍ଷିକ ୭୩୨ ବିଲିୟନ୍ ଡଲାର ବ୍ୟୟ କରି ଯୁକ୍ତରାଷ୍ଟ୍ର ଆମେରିକା ସମଗ୍ର ବିଶ୍ୱର ସବୁଠୁ ବଡ଼ ସାମରିକ ବ୍ୟୟକାରୀ ରାଷ୍ଟ୍ର ମାନ୍ୟତା ପାଇଛି। ସେନା ପାଇଁ ବର୍ଷକୁ ୨୬୧ ବିଲିୟନ୍ ଡଲାର୍ ବ୍ୟୟ କରି ଚୀନ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବର୍ଷକୁ ୭୧ ବିଲିୟନ୍ ଡଲାର୍ ବ୍ୟୟ କରି ଭାରତ ତୃତୀୟ ସ୍ଥାନରେ ରହିଛି।
ଏହି ଅଧ୍ୟୟନରେ ଉଲ୍ଲେଖ ଅଛି ଯେ, ଚୀନ୍ ଜଳ, ଯୁକ୍ତରାଷ୍ଟ୍ର ଆମେରିକା ଆକାଶ ଓ ରୁଷ୍ ସ୍ଥଳ ଯୁଦ୍ଧରେ ବିଜୟ ହାସଲ କରି ପାରିବେ।