ଆଫଗାନିସ୍ତାନ ସ୍ଥିତି ନେଇ ରଣନୀତି ପ୍ରସ୍ତୁତ କରୁଛି ଭାରତ । ଦିଲ୍ଲୀରେ ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଲେ ଡୋଭାଲ ।

760

କନକ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ କବଜା ପରେ ସେଠାକାର ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ବିଶେଷକରି ଆଫଗାନିସ୍ତାନର ଉନ୍ନତି ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ଦେଶମାନେ ଏବେ ଚିନ୍ତାରେ । ଶାସନକୁ ଆସିବା ପରେ ତାଲିବାନ କ’ଣ ଆଭିମୁଖ୍ୟ ରଖିବ ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

ଏ ସବୁ ଭିତରେ ଭାରତର ଆଗାମୀ ରଣନୀତି କ’ଣ ହେବ ସେ ନେଇ ପ୍ରସ୍ତୁତି ଚଳାଇଛି । ଏନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲା ତାଙ୍କ ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଛନ୍ତି । ନୂଆ ଦିଲ୍ଲୀରେ ହୋଇଥିବା ଏହି ବୈଠକରେ ଡୋଭାଲ ରୁଷ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାତ୍ରୋସେଭଙ୍କୁ ଭେଟି ଆଫଗାନ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନରେ ପ୍ରଧାନମନ୍ତ୍ରୀ ମୋଦି କଥା ହେବାର କିଛି ଦିନ ପରେ ଦୁଇ ଦେଶର ଏନଏସଏ ଭେଟିଛନ୍ତି ।

ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏହାର ସୁଯୋଗ ନେବ ପାକିସ୍ତାନ, ଆଉ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାକୁ ଚେଷ୍ଟା କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେପଟେ ଉଭୟ ଭାରତ ଓ ରୁଷରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ନେଇ ଆଶଙ୍କା ପ୍ରକାଶ କରିସାରିଛନ୍ତି ରୁଷ୍ ପ୍ରତିନିଧି । ଭାରତ ଓ ରୁଷ୍ ପାରମ୍ପରିକ ଭାବେ ସହଯୋଗୀ ରାଷ୍ଟ୍ର । ତେଣୁ ଆଫଗାନିସ୍ତାନ ସ୍ଥିତି, ତାଲିବାନ ଓ ଆତଙ୍କବାଦ ପ୍ରସଙ୍ଗରେ ଏକାଠି ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି ।

ଆଫଗାନିସ୍ତାନରେ ତାଲିବାନ ଦଖଲ ଓ ଶାସନକୁ ଆସିବା ପରେ ଉଭୟ ଭାରତ ଓ ରୁଷ୍ ବିଶେଷ କିଛି ପ୍ରତିକ୍ରିୟା ରଖି ନାହାନ୍ତି । ଉଭୟ ଦେଶ “ୱେଟ୍ ଓ ୱାଚ୍’ ନୀତି ଆପଣେଇଥିବା ମଧ୍ୟ କିଛି ମାତ୍ରାରେ ଦେଖିବାକୁ ମିଳିଛି । ତାଲିବାନ ସରକାରକୁ ମଧ୍ୟ ସ୍ୱୀକୃତି ଦେବା ପ୍ରସଙ୍ଗରେ ମୋଦି ସରକାର ଓ ପୁତିନ ସରକାର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି । ଆଗକୁ ତାଲିବାନ ସରକାରର ପଦକ୍ଷେପ, ପ୍ରତିଶ୍ରୁତି ରକ୍ଷା ଓ ଆଫଗାନିସ୍ତାନରେ ସ୍ଥିରତା ଲକ୍ଷ୍ୟ କରି ନିଷ୍ପତ୍ତି ନିଆଯିବ ବୋଲି ଉଭୟ ନୂଆଦିଲ୍ଲୀ ଓ ମସ୍କୋ ପକ୍ଷରୁ କୁହାଯାଇଛି ।