କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଉ ଏକ ସୁନା ଆଣିଲେ ସୁନା ଝିଅ । ସୁଟର ହୀନା ସିଦ୍ଧୁ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ୨୫ ମିଟର ପିସ୍ତଲ ଇଭେଂଟରେ ଭାରତକୁ ଏହି ପଦକ ମିଳିଛି । ଏହାସହିତ ଭାରତର ପଦକ ସଂଖ୍ୟା ୨୦ରେ ପହଂଚିଛି । ମହିଳାଙ୍କ ୧୦ ଏୟାର ରାଇଫଲ ବର୍ଗରେ ହୀନା ଭାରତକୁ ରୈପ୍ୟ ପଦକ ଦେଇଥିଲେ । କେବଳ ସୁଟିଂରେ ଭାରତକୁ ୩ ସ୍ୱର୍ଣ୍ଣ ସହ ମୋଟ ୮ ପଦକ ମିଳିଛି । ମେଡାଲ ଟାଲିରେ ଭାରତ ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।
ପୁରୁଷ ହକି ସେମଫାଇନାଲରେ ପ୍ରବେଶ କରିଛି ଭାରତ । ମାଲେସିଆକୁ ୨-୧ ଗୋଲରେ ହରାଇ ଭାରତ ସେମିରେ ପହଂଚିଛି । ଭାରତ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୱେଲସକୁ ହରାଇଥିଲା । ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନରେ ଭାରତକୁ ଆଉ ଦୁଇଟି ପଦକ ମିଳିବା ଆଶା କରାଯାଉଛି । ସୁଟିଂରେ ଏହି ପଦକ ମିଳିବା ଆଶା ରହିଛି ।
ଯଦି ପଦକ ତାଲିକା ଉପରେ ନଜର ପକାଇବା ତେବେ ଅଷ୍ଟ୍ରେଲିଆ ୩୯ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୪ଟି ବ୍ରୋଞ୍ଜ ପଦକ ସହ ମୋଟ ୧୦୬ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ୨୨ଟି ସ୍ୱର୍ଣ୍ଣ, ୨୫ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ ଏଭଳି ମୋଟ ୬୪ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୧୦ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ଏଭଳି ମୋଟ ୧୯ ଟି ପଦକ ପାଇଁ ତୃତୀୟ ସ୍ଥାନରେ ରହିଛି । ଚତୁର୍ଥ ସ୍ଥାନରେ ଅଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ମୋଟ ୨୩ଟି ପଦକ ମିଳିଛି । ଏଥି ମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ।