ସେପ୍ଟେମ୍ବରରେ ବଢ଼ିଲାନି କରୋନା । ତୃତୀୟ ଲହରର ପଡ଼ିନପାରେ ବଡ଼ ପ୍ରଭାବ ।

118

କନକ ବ୍ୟୁରୋ : ପାଣ୍ଡାମିକ ନୁହେଁ ଏଣ୍ଡେମିକ ଷ୍ଟେଜରେ ପହଂଚି ଯାଇଛି କରୋନା । ଦେଶର ବିଶିଷ୍ଟ ଭୂତାଣୁବିତ ଦେଇଥିବା ବୟାନ ସମସ୍ତଙ୍କ ମନରେ ଆଶ୍ୱସ୍ତି ଭରିଦେଇଛି । ସେପ୍ଟେମ୍ବରରେ ତୃତୀୟ ଲହରର ପ୍ରଭାବ ଅନୁଭୁତ ହେବ ବୋଲି ଯେତେ ସବୁ ମଡେଲ ଦ୍ୱାରା ଆକଳନ କରାଯାଇଥିଲା, ତାର ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଛି । ଦ୍ୱିତୀୟ ଲହର ଭଳି ତୃତୀୟ ଲହର ଭୟାନକ ହେବ ନାହିଁ ଏକଥା ଧିରେ ଧିରେ ସ୍ପଷ୍ଟ ହେଉଛି । ଯେହେତୁ ଅନେକ ଲୋକ ଟିକା ନେଇସାରିଲେଣି ଏବଂ ଆଂଟିବଡି ଯଥେଷ୍ଟ ଅଧିକ ସୃଷ୍ଟଇ ହେଉଛି, ତାର ସୁଫଳ ମିଳୁଥିବା ଅନୁମାନ କରାଯାଉଛି ।

ଏଣ୍ଡେମିକ୍ ସ୍ଥିତିରେ ପହଞ୍ଚିଛି କରୋନା ! ପଡିନପାରେ ତୃତୀୟ ଲହରର ବଡ଼ ପ୍ରଭାବ । ଦ୍ୱିତୀୟ ଲହର ଶେଷ ହୋଇନଥିବା ବେଳେ ତୃତୀୟ ଲହର ଆଶଙ୍କା ଭିତରେ ଆଶ୍ୱସ୍ତି କଲା ଭଳି ମତ ଦେଇଛନ୍ତି ଦେଶର ପ୍ରମୁଖ ଭୂତାଣୁବିତ୍ ଡାକ୍ତର ଗଗନଦୀପ କଙ୍ଗ । ସେ କହିଛନ୍ତି, ଭାରତରେ କରୋନା ମହାମାରୀ ଏବେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିଛି । ଦ୍ୱିତୀୟ ଲହରରେ ଯେଭଳି ଭାବରେ ସଂକ୍ରମଣ ବଢିଥିଲା, ତୃତୀୟ ଲହରରେ ସେପରି ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଡାକ୍ତର କଙ୍ଗ ।

ଭାରତରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିଛି କରୋନା । ଦ୍ୱିତୀୟ ଲହର ଭଳି ତୃତୀୟ ଲହର ସଂକ୍ରମକ ହେବନି । ଏଣ୍ଡେମିକ ପର୍ଯ୍ୟାୟ ହେଉଛି, ରୋଗ ସମ୍ପୂର୍ଣ୍ଣ ଲୋପ ପାଇବନି । ହେଲେ ଏହା ମହାମାରୀ ଭଳି ସଂକ୍ରାମକ ହେବନାହିଁ । ନିର୍ଦ୍ଦିଷ୍ଟ ଅଞ୍ଚଳରେ ରୋଗ ହୋଇପାରେ । ମାତ୍ର ରୋଗ ସହ କିପରି ବଞ୍ଚି ହେବ, ଲୋକ ଜାଣିଯିବେ ।

ଭୂତାଣୁବିତ୍ ଡାକ୍ତର ଗଗନଦୀପ କଙ୍ଗଙ୍କ କହିବା କଥା, ଦେଶର ଅନେକ ଲୋକ ଟିକା ନେଇସାରିଲେଣି । ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । ତେଣୁ ରୋଗ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଛି । ସଂକ୍ରମଣ ପ୍ରବଣ ଲୋକଙ୍କ ସଂଖ୍ୟା କମିଯାଇଛି । ଏପରିକି ସଂକ୍ରମିତ ହେଉଥିବା ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ଯଥେଷ୍ଟ କମ୍ ରହିଛି । ଟିକାର ସୁରକ୍ଷା କବଚ ଭେଦ କରିବା ପାଇଁ ନୂଆ ଭ୍ୟାରିଆଣ୍ଟ ମଧ୍ୟ ଚିହ୍ନଟ ହୋଇନି । ତେଣୁ ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି କହିଛନ୍ତି ଡାକ୍ତର ଗଗନଦୀପ କଙ୍ଗ ।

ଦେଶରେ ଅନେକ ଲୋକ ଟିକା ନେଇଛନ୍ତି । ସଂକ୍ରମିତ ଲୋକଙ୍କ ଠାରେ ଆଂଟିବଡି ସୃଷ୍ଟି ହୋଇଛି । ସଂକ୍ରମଣ ପ୍ରବଣ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି । ନୂଆ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ । ଏପଟେ ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ଏତେ ପଡିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ହୋଇଥିବା ସେରୋସର୍ଭେ ରିପୋର୍ଟରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।

ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ତୃତୀୟ ଲହର ନେଇ ଆଶଙ୍କା କରୁଥିଲେ ବିଶେଷଜ୍ଞ । ଆଶ୍ୱସ୍ତିର କଥା ହେଉଛି, ସେପ୍ଟେମ୍ବର ମାସ ସରିବାକୁ ବସିଲାଣି, ହେଲେ ସଂକ୍ରମଣ ବଢ଼ିନାହିଁ । ତେବେ ଆସନ୍ତା ଦୁଇ ମାସ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।