ଆଫଗାନ ପ୍ରସଙ୍ଗରେ ଆସନ୍ତା ମାସ ଦିଲ୍ଲୀରେ ବୈଠକ । ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

131

କନକ ବ୍ୟୁରୋ : ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତାମାସରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକକୁ ପାକିସ୍ତାନକୁ ବି ନିମନ୍ତ୍ରଣ କରାଯାଇଛି । କୁହାଯାଇଛି କି ଚୀନ ଓ ଋଷକୁ ବି ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି । ସୂତ୍ର ସୂଚନା ମୁତାବକ ଏହି ବୈଠକ ନଭେମ୍ବର ୧୦ ଓ ୧୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ବୈଠକରେ ଆଫଗାନର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି ।
ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭାରତୀୟ ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଅଜିତ୍ ଡୋଭାଲ ଅଧ୍ୟକ୍ଷତା କରିବେ ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ବୈଠକକୁ ଆଫଗାନର ପଡୋଶୀ ରାଷ୍ଟ୍ର ପାକିସ୍ତାନ, ଇରାନ, ତାଜିକିସ୍ତାନ, ଓଜବେକିସ୍ତାନ, ଚୀନ ଓ ଋଷକୁ ବି ନିମନ୍ତ୍ରଣ କରାଯାଉଛି । ଅନ୍ୟପଟେ ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନ, ୟୁକେ, ଆମେରିକା ଓ ସଂଯୁକ୍ତ ରାଷ୍ଟ୍ରର ପ୍ରତିନିଧି ମାନଙ୍କୁ ବି ନିମନ୍ତ୍ରଣ କରାଯିବ । ସେପଟେ ତାଲିବାନ ପ୍ରତିନିଧିଙ୍କୁ ଏହି ବୈଠକରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଏହି ବୈଠକକୁ ପାକିସ୍ତାନ ସୁରକ୍ଷା ପରିଷଦର ମୁଖ୍ୟ ସଇଦ ୟୁସୁଫଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ସେ ଏହି ବୈଠକରେ ଯୋଗ ଦେବାକୁ ଆସୁଛନ୍ତି ତେବେ ୨୦୧୬ ପରେ କୌଣସି ପାକିସ୍ତାନ ଅଧିକାରୀଙ୍କ ପ୍ରଥମ ଭାରତ ଯାତ୍ରା ହେବ । ଏହା ପୂର୍ବରୁ ଡୋଭାଲ ଚଳିତ ବର୍ଷ ଜୁନ ମାସରେ ତାଜିକିସ୍ତାନର ରାଜଧାନୀ ଦୁଶାଂବରେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ପାକିସ୍ତାନ ସୁରକ୍ଷା ପରିଷଦର ଅଧ୍ୟକ୍ଷ ବି ଯୋଗ ଦେଇଥିଲେ ।