ଅଲିମ୍ପିକ୍ସରେ ଭାରତର ବିଜୟ ଯାତ୍ରା : ଆଗକୁ ବଢିଲେ ସିନ୍ଧୁ, ଦୀପିକା, ଅତନୁ ଓ ପୂଜାରାଣୀ ; ହକିରେ ବି ଆଗୁଆ

178

କନକ ବ୍ୟୁରୋ : ଆଜି ଅଲିମ୍ପିକ୍ସରେ ଭାରତର ବିଜୟ ଯାତ୍ରା । ବିଭିନ୍ନ ଇଭେଂଟରେ ଖେଳାଳିଙ୍କର ବାଜିମାତ ଭାରତ ପାଇଁ ଆଣିଛି ଏକାଧିକ ପଦକର ଆଶା । ବ୍ୟାଡ଼ମିଂଟନ ସିଙ୍ଗଲ୍ସ ଇଭେଣ୍ଟରେ କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି ପି. ଭି. ସିନ୍ଧୁ । ୪୧ ମିନିଟର ସଂଘର୍ଷମୟ ଇଭେଣ୍ଟରେ ପି. ଭି. ସିନ୍ଧୁ ଡେନମାର୍କର ମିଆ ବିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ପରାସ୍ତ କରିଛନ୍ତି । ପ୍ରଥମରୁ ହିଁ ସିନ୍ଧୁଙ୍କ ପ୍ରଦର୍ଶନ ଦମଦାର ଥିଲେ ବି ବିଚଫେଲ୍ଟ ମଧ୍ୟ କିଛି କମ ନଥିଲେ । ହେଲେ ଶେଷ ସେଟ୍ ହାତେଇଥିଲେ ସିନ୍ଧୁ ।

ଭାରତୀୟ ପୁରୁଷ ହକିରେ ମଧ୍ୟ ଭାରତର ଦମଦାର ପ୍ରଦର୍ଶନ । ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ଭାରତ ।

ତୀରନ୍ଦାଜୀରେ ମଧ୍ୟ ଭାରତର ପ୍ରଦର୍ଶନ ଚମକ୍ରାର ରହିଛି । ବିଶ୍ୱର ଏକ ନମ୍ବର ଆର୍ଚର ଦୀପିକା କୁମାରୀ ମହିଳା ବ୍ୟକ୍ତିଗତ ବିଭାଗରେ ନିଜ ବିଜୟ ଅଭିଯାନ ଜାରି ରଖିଛନ୍ତି । ଆମେରିକା ଆର୍ଚର ଜେନିଫର ଫର୍ଣ୍ଣାଡିଜଙ୍କୁ ହରାଇ ପ୍ରିକ୍ୱାର୍ଟରରେ ପହଂଚିିଛନ୍ତି । ତେବେ ଦୁହିଁଙ୍କ ଏହି ବାଜି ଛକାପଂଝାରେ ଚାଲିଥିଲା । ୫ଟିରୁ ଦୁଇଟି ସେଟରେ ଫର୍ଣ୍ଣାଡିଜ୍ ଆଗୁଆଥିବାବେଳେ ୩ଟି ସେଟରେ ଦୀପିକା ତାଙ୍କୁ ଓଭରଟେକ୍ କରି ନିର୍ଣ୍ଣାୟକ ସେଟରେ ଇଭେଂଟ ଜିତିଥିଲେ । ଅନ୍ୟପଟେ ଦୀପିକାଙ୍କ ସ୍ୱାମୀ ଅତନୁ ଦାସ ମଧ୍ୟ ପୁରୁଷ ବ୍ୟକ୍ତିଗତ ଇଭେଂଟରେ ବିଜୟ ଯାତ୍ରା ଜାରି ରଖିଛନ୍ତି । ସାଉଥ୍ କୋରିଆର ଷ୍ଟାର ଖେଳାଳି ଓହ ଜିନହେକଙ୍କୁ ୬-୫ରେ ପରାସ୍ତ କରି ରାଉଣ୍ଡ ୮ରେ ପ୍ରବେଶ କରିଛନ୍ତି ।

ବକ୍ସିଂ ମହିଳା ବର୍ଗରେ ମଧ୍ୟ ବିଜୟର ମାହୋଲ । ମହିଳା ବକ୍ସର ପୂଜାରାଣୀ ମଧ୍ୟ ୭୫ କେଜି ବର୍ଗରେ ଜିତାପଟ ମାରି କ୍ୱାର୍ଟର ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛନ୍ତି । ଆଲଜେରିଆ ବକ୍ସର ଇଚରାକ୍ ଚାଏବାଙ୍କୁ ୫-୦ ସେଟରେ ହରାଇ ଦେଶ ପାଇଁ ଆଉ ଏକ ପଦକର ଆଶା ଆଣିଛନ୍ତି । କ୍ୱାର୍ଟର ଫାଇନାଲରେ ପୂଜା ଅଲିମ୍ପିକ୍ ବ୍ରୋଂଚ ବିଜେତା ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଚୀନ୍ ଖେଳାଳି ଲି ଜିନହେକଙ୍କୁ ଭେଟିବେ ।