ଚାପରେ ଅଛି ଟିମ୍ ଇଣ୍ଡିଆ, ସେଥିପାଇଁ ମେଣ୍ଟର ଭାବେ ଧୋନୀଙ୍କୁ ସାଥୀରେ ଆଣିଲା । ଟି-୨୦ ମୁକାବିଲା ପୂର୍ବରୁ ପୂର୍ବତନ ପାକିସ୍ତାନ କ୍ରିକେଟର ଦେଲେ ବଡ ବୟାନ ।

353

କନକ ବ୍ୟୁରୋ : ଆସନ୍ତା ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏହି ମ୍ୟାଚ୍ ଖେଳିବା ସହ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବେ । ଏହି ମହାମୁକାବିଲାକୁ ଦେଖିବାକୁ ପୂରା ବିଶ୍ୱ ଚାହିଁ ବସିଛି । ଆଉ ମ୍ୟାଚ୍ ପୂର୍ବରୁ ଉଭୟ ଦେଶର ପୂର୍ବତନ ଖେଳାଳୀ ଓ ପ୍ରଂଶସକଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ପାକିସ୍ତାନର ପୂର୍ବତନ ଖେଳାଳୀ ତନବୀର ଅହମ୍ମଦ ମ୍ୟାଚ୍ ପୂର୍ବରୁ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତନବୀର କହିଛନ୍ତି, ଚଳିତଥର ଟିମ୍ ଇଣ୍ଡିଆ ବେଶ ଚାପରେ ରହିଛି, ସେଥିପାଇଁ ମହେନ୍ଦ୍ର ସିଂ  ଧୋନୀଙ୍କୁ ମେଣ୍ଟର ଭାବେ ସାଥୀରେ ଆଣିଛି ।

ତନବୀର କହିଛନ୍ତି, ପୂର୍ବ ଇତିହାସକୁ ଯଦି ଦେଖିବା ତେବେ ଟିମ୍ ଇଣ୍ଡିଆ ପକ୍ଷରେ ସମସ୍ତ ରେକର୍ଡ ରହିଛି । ଅନ୍ତର୍ଜାତୀୟ ସ୍ତରରେ ଭାରତ ଯେଉଁଭଳି ଖେଳୁଛି ତାହା ବେଶ ପ୍ରଂଶସନୀୟ । କିନ୍ତୁ ସାଂପ୍ରତିକ ସ୍ଥିତିକୁ ଦେଖିଲେ ଭାରତ ଉପରେ ବଡ ଚାପ ରହିଛି । ଯଦି ବିରାଟଙ୍କ କଥା ଦେଖାଯାଏ, ତେବେ ତାଙ୍କ ଉପରେ ବହୁତ ଚାପ ରହୁଛି, ଯେଉଁଥିପାଇଁ ସେ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଆଇପିଏଲକୁ ଦେଖିବେ ତେବେ ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନ ସେଭଳି ଖାସ ନଥିଲା ଯେଉଁମାନେ ଟି-୨୦ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି । ଯାହା ଦଳ ପାଇଁ ଚାପ ସୃଷ୍ଟି କରିଛି । ଯେଉଁଥିପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଣ୍ଟର ଭାବେ ସାଥୀରେ ନେଇଛି ଟିମ୍ ଇଣ୍ଡିଆ ।

ଦୀର୍ଘ ଦୁଇ ବର୍ଷ ପରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ତେଣୁ  ଏହି ମ୍ୟାଚକୁ ନେଇ ଯଥେଷ୍ଟ ଉତ୍ସାହ ରହିଛି । ଏହାଛଡା ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଏଯାବତ୍ ୫ଟି ମୁକାବିଲା ଖେଳାଯାଇଛି । ଆଉ ପ୍ରତିଟି ମୁକାବିଲାରେ ଭାରତ ବିଜୟୀ ହୋଇଛି । ଅନ୍ୟପଟେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି, ଚଳିତଥର ଆମ ଟିମ୍ ବେଶ ଶକ୍ତିଶାଳୀ ରହିଛି ଓ ଏବଂ ଆମେ ହିଁ ବିଜୟୀ ହେବୁ । କିନ୍ତୁ ଭାରତର ଅଧିନାୟକ କୋହଲି କହିଛନ୍ତି, ଅନ୍ୟ ମ୍ୟାଚ୍ ଭଳି ଏହି ମ୍ୟାଚକୁ ଆମେ ଦେଖୁଛୁ । ତେଣୁ ଆମ ଉପରେ ମ୍ୟାଚକୁ ନେଇ ଆଦୌ ଚାପ ନାହିଁ ।