କରୋନା ପାଇଁ ଦେଶର ୨୨ ରାଜ୍ୟର ପ୍ରାୟ ୮୦ ସହର ଲକଡାଉନ୍: ଆସନ୍ତା ୩୧ ଯାଏଁ ରାଜଧାନୀ ଦିଲ୍ଲୀ ଲକଡାଉନ୍; ମାର୍ଚ୍ଚ ୩୧ ଯାଏଁ ସବୁ ପାସେଂଜର ଟ୍ରେନ୍ ବାତିଲ୍

1,044

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି ଲକଡାଉନ୍ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହି ସ୍ଥିତି ମାର୍ଚ୍ଚ ୩୧ ତାରିଖ ଯାଏଁ ଲାଗୁ ରହିବ । ଆଜି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଦିଲ୍ଲୀରେ ଲାଗୁ ରହିବ ଏହି ଲକଡାଉନ୍ ସ୍ଥିତି । ଏହି ସମୟ ମଧ୍ୟରେ ସମସ୍ତ ଅନ୍ତର୍ଜାତୀୟ ବିମାନସେବାକୁ ବାତିଲ କରାଯାଇଛି । ଅନ୍ତଃରାଜ୍ୟ ବସ୍ ସେବା ସହିତ ମେଟ୍ରୋ ସେବାକୁ ବି ବନ୍ଦ କରାଯାଇଛି । ବନ୍ଦ ରହିବ ସମସ୍ତ ଦୋକାନବଜାର, ବାଣିଜ୍ୟିକ ସଂସ୍ଥାନ, କାରଖାନା, ଅଫିସ, ସାପ୍ତାହିକ ହାଟ, ଧାର୍ମିକ ସ୍ଥଳ, ନିର୍ମାଣ କାମ ।

ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରିୱାଲ ସରକାର । କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି । ତେବେ ଏହି ଲକଡାଉନ ସମୟରେ ଦିଲ୍ଲୀ ବିମାନବନ୍ଦରରୁ ଘରୋଇ ବିମାନ ସେବା ଜାରି ରହିବ ଏବଂ ବିମାନବନ୍ଦର ଖୋଲା ରହିବା ନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଲକଡାଉନରୁ ରାସନ ସାମଗ୍ରୀ, ଔଷଧ ଦୋକାନ, ଥାନା , ଅଗ୍ନିଶମ ଡାକ୍ତରଖାନା , ଗଣମାଧ୍ୟମ କାର୍ଯ୍ୟଳୟ ବାଦ୍ ପଡିବ । ଲକଡାଉନ ସମୟରେ ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀଙ୍କ ଦରମା କାଟ୍ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ସେହିପରି ଉତ୍ତରପ୍ରଦେଶରେ କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୫ ସହରରେ ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବଢୁଥିବା କରୋନା ସ୍ଥିତିକୁ ମୁକାବିଲା କରିବାକୁ ସାମାଜିକ ଦୂରତାକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି କାରଣରୁ ଆଜି ସକାଳ ୬ଟାରୁ ୨୫ ତାରିଖ ଯାଏଁ ୟୁପିରେ ଲକଡାଉନ ଲାଗୁ କରାଯାଇଛି । ଆଗ୍ରା , ଲଖନୌ, ମୁରାଦାବାଦ, ଆଜମଗଡ, କାନପୁର, ମିରଟ, ପ୍ରୟାଗରାଜ, ବାରଣାସୀ ପରି ୧୫ ସହରରେ ଏହି ଲକଡାଉନ୍ ଲାଗୁ କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ଗୁଡିକ ଖୋଲା ରହିବ ।

ଅତି ଆବଶ୍ୟକ ନହେଲେ ବାହାରକୁ ନବାହାରିବାକୁ ଅନୁରୋଧ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କୌଣସି ସମୟରେ ଅତି ଜରୁରୀ ସ୍ଥିତି ଦେଖା ଦେଲେ ୟୁପି ପୋଲିସର ହେଲପଲାଇନ ନଂବରକୁ ଯୋଗାଯୋଗ କରିବାକୁ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ୟୁପିରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଆଗାମୀ ଦିନ ଗୁଡିକର ପରିସ୍ଥିତିକ ୁଦେଖି ଏବେ ୧୫ ସହରରେ ଲକଡାଉନ ଲାଗୁ କରାଯାଇଥିବା କହିଛନ୍ତି ଆଦିତ୍ୟନାଥ । ଲକଡାଉନ ସମୟରେ ୟୁପି ପୋଲିସ ଆବଶ୍ୟକ ପାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିବ । ୩ ହଜାର ପୋଲିସ ଗାଡି ସହିତ ୪ ହଜାର ପୋଲିସ ବାଇକ୍ ଏହି ପାଟ୍ରୋଲିଂରେ ନିୟୋଜିତ ରହିବ ।