ଆଇସିସିର ବଡ ଘୋଷଣା । ଭାରତରେ ଖେଳାଯିବ  ଟି-୨୦ ବିଶ୍ୱକପ୍,ଚାମ୍ପିୟନ୍ସ ଟ୍ରଫି ଓ ଦିନିକିଆ ବିଶ୍ୱକପ । ଜାଣନ୍ତୁ କେବେ? 

1,813

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ସରିବାର ଦୁଇ ଦିନ ବିତିନାହିଁ ଆଇସିସି ଗୋଟିଏ ପରେ ଗୋଟିଏ ଖୁସି ଖବର ଦେଉଛି । ପୁଣିଥରେ କ୍ରିକେଟପ୍ରେମୀ ଦେଖିବାକୁ ଚାମ୍ପିୟନ୍ସ ଟ୍ରଫିର ଜଲୱା । ଏନେଇ ସ୍ପଷ୍ଟ କରିଛି ଅର୍ନ୍ତଜାତୀୟ କ୍ରିକେଟ ପରିଷଦ ବା ଆଇସିସି ।  ଆସନ୍ତା ୨୦୨୪ରୁ ୨୦୩୧ ମଧ୍ୟରେ ଧଳା ବଲ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିଛି ଆଇସିସି । ଏହି ସମୟ ଅବଧିରେ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଇସିସି ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀରେ ୮ଟି ବଡ ଟୁର୍ଣ୍ଣାମେଣ୍ଟର ଘୋଷଣା କରାଯାଇଛି । ଆଉ ଏହି ୮ଟି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୪ଟି ଦେଶ ମଧ୍ୟରେ ବଣ୍ଟାଯାଇଛି ।  ଆଉ ଏହି ୮ଟି ଇଭେଣ୍ଟ ମଧ୍ୟରୁ ଭାରତ ୩ଟି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବ । ୨୦୨୪ ପୂର୍ବରୁ ୨୦୨୩ରେ ଭାରତରେ ଦିନିକିଆ ବିଶ୍ୱକପ ମଧ୍ୟ ଖେଳାଯିବ । ତେବେ ଆଇସିସି ପକ୍ଷରୁ ଯେଉଁ ଘୋଷଣା ହୋଇଛି ତାହା ପାକିସ୍ତାନକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । କାରଣ ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି ।

ଆଇସିସି ମଙ୍ଗଳବାର ଟ୍ୱିଟ୍ କରି ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ବିଭିନ୍ନ ଭେନ୍ୟୁ ଘୋଷଣା କରିଛି । ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାକୁ ମିଳିତ ଭାବେ ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ ମିଳିଛି । ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଆମେରିକାକୁ ଆୟୋଜନର ଦାୟିତ୍ୱ ମିଳିଛି । କାରଣ ୨୦୨୮ରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ କସରତ ଚାଲିଛି । ସେହିଭଳି ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଫେରିଛି । ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଦାୟିତ୍ୱ ପାକିସ୍ତାନକୁ ମିଳିଛି । ସେହିଭଳି ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଫିଭର ପୁଣିଥରେ ଭାରତରେ ଦେଖିବାକୁ ମିଳିବ । ଉଭୟ ଭାରତ ଓ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟକୁ ମିଳିତ ଭାବେ ଆୟୋଜନ କରିବେ ।

୨୦୨୭ରେ ହେବାକୁ ଥିବା ବିଶ୍ୱକପର ଆୟୋଜନ ଭାର ଜିମ୍ବାୱେ, ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାକୁ ଦିଆଯାଇଛି । ଯାହା ଫଳରେ ଆଫ୍ରିକା ମହାଦେଶରେ କ୍ରିକେଟ ପ୍ରତି ଲୋକେ ଆକର୍ଷିତ ହେବେ । ସେହିଭଳି ୨୦୨୮ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜକ ଭାବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ମିଳିତ ଦାୟିତ୍ୱ ମିଳିଛି । ୨୦୨୯ରେ ପୁଣିଥରେ ଭାରତକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଫେରିବ । ଆଉ ତାହା ବି ପୁଣି ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଭାବେ । ତେବେ ପ୍ରତି ୨ ବର୍ଷରେ ଟି-୨୦ ବିଶ୍ୱକପ ଖେଳାଯିବ । ଆଉ ୨୦୩୦ରେ ୟୁରୋପକୁ ଫେରିବ ଟି-୨୦ ବିଶ୍ୱକପ । ୨୦୩୦ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନର ଭାର ଇଂଲଣ୍ଡ, ଆୟରଲାଣ୍ଡ ଓ ସ୍କଟଲାଣ୍ଡ ପାଖରେ ରହିବ । ତେବେ ଦିନିକିଆ ବିଶ୍ୱକପ ଏସିଆରେ ଖେଳାଯିବ । ଯାହା ୨୦୩୧ରେ ଖେଳାଯିବ । ଉଭୟ ବାଂଲାଦେଶ ଓ ଭାରତ ଏହି ଦିନିକିଆ ବିଶ୍ୱକପର ମିଳିତ ଭାବେ ଆୟୋଜକ ରହିବେ ।

ଏସବୁ ଭିତରେ  ଆଜି ୨୦୨୨ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କରିଛି ଆଇସିସି । ଆଉ ଏହାସହ ଫଟାଫଟ କ୍ରିକେଟର ମହାକୁମ୍ଭ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ୧୬ ଅକ୍ଟୋବରରୁ ଆରମ୍ଭ ହୋଇ ୧୩ ନଭେମ୍ବରରେ ଶେଷ ହେବ ।  ୪୫ଟି ମ୍ୟାଚ୍ ୭ଟି ଭେନ୍ୟୁରେ ଖେଳାଯିବ । ଟି-୨୦ ବିଶ୍ୱକପ୍ ପାଇଁ ଆଡିଲେଡ, ବ୍ରିସବେନ, ଜିଲଙ୍ଗ, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ, ସିଡନୀ ଭଳି ଭେନ୍ୟୁକୁ ବଛାଯାଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ୧୩ ନଭେମ୍ବରରେ ଫଟାଫଟ କ୍ରିକେଟର ଫାଇନାଲ ମୁକାବିଲା ଦେଖିବ ବିଶ୍ୱ । ସେହିଭଳି  ନଭେମ୍ବର ୯ ଓ ୧୦ ତାରିଖରେ ସିଡନୀ ଓ ଆଡିଲେଡରେ ଯଥାକ୍ରମେ ସେମିଫାଇନାଲର ଦୁଇଟି ମୁକାବିଲା ଖେଳାଯିବ ।