କରୋନା ଲଢ଼େଇରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ଶହେ କୋଟି ଟପିଲା ଟିକାକରଣ ।  

116

କନକ ବ୍ୟୁରୋ : ଆଜି କରୋନା ବିରୋଧୀ ଲଢେଇରେ ଆମ ଦେଶ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଶହେ କୋଟି ଡୋଜ୍ ଆଜି ଅତିକ୍ରମ କରିଛି ଭାରତ । ଏଥିସହ ୧୮ ବର୍ଷରୁ ଅଧିକ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ୍ ଦିଆଯାଇ ପାରିଛି । ଏବଂ ପ୍ରାୟ ୩୧ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇ ପାରିଛି । ଭାରତ ସରକାର ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ।

ଟିକାକରଣରେ ଇତିହାସ ରଚିଲା ଭାରତ । ଦେଶରେ ଶହେ କୋଟି ଟପିଲା ଟିକାକରଣ । କରୋନା ମହାମାରୀର ମୁକାବିଲା ପାଇଁ ସବୁଠାରୁ ବଡ ସୁରକ୍ଷା କବଚ କୁହାଯାଉଥିବା ଟିକାକରଣରେ ଭାରତ ସାରା ବିଶ୍ୱରେ ରେକର୍ଡ କରିଛି । ବିଶ୍ୱର ପ୍ରଥମ ଦେଶ ଭାବେ ଟିକାକରଣ ଶହେ କୋଟି ଟପିଛି । ଟିକାକରଣରେ ରେକର୍ଡ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ପିଟାଲରେ ପହଞ୍ଚିଥିଲେ । ଟିକା ନେଉଥିବା ଲୋକଙ୍କ ସହ କଥା ହେବା ସହ ଏହି ଉପଲବ୍ଧି ଭାରତ ଓ ଭାରତର ସମସ୍ତ ନାଗରିକଙ୍କର ବୋଲି କହିଛନ୍ତି ।

ଓଡିଶାରେ ଗୁରୁବାର ସକାଳ ସୁଧା ୩କୋଟି ୪୮ ଲକ୍ଷ ଟିକାକରଣ ହୋଇଛି । ୨୨ ଲକ୍ଷ ଟିକା ମହଜୁଦ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୨୪ ଲକ୍ଷ ଲୋକ ଏବେ ବି ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି । ଶୁକ୍ରବାରଠାରୁ ଶିଶୁ ମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମୋଡରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ ଗୋଟିଏ ୪୦ ଲକ୍ଷ ୨ ବର୍ଷରୁ ୧୮ ବର୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, ଆଉ ଟିକା ଆସିଲେ ଶିଶୁ ମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ  ।

ଦେଶରେ ଟିକାକରଣ ଅଭିଯାନ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଶହେ କୋଟି ଟିକାକରଣ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ  ।