ପୂର୍ବତନ ପାକିସ୍ତାନ ଅଧିନାୟକଙ୍କ ଭବିଷ୍ୟବାଣୀ ।   ଟି-୨୦ ବିଶ୍ୱକପ ଟାଇଟଲର ପ୍ରବଳ ଦାବିଦାର ଟିମ୍ ଇଣ୍ଡିଆ, ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କହିଲେ ଏମିତି କଥା ।

333

କନକ ବ୍ୟୁରୋ : ଅକ୍ଟୋବର ୨୪ । ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ପୂରା ବିଶ୍ୱ କ୍ରିକେଟ ଚାହିଁ ବସିଛି । ତେବେ ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ ହକ୍ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ଚଳିତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଟାଇଟଲ ଜିତିବାର ପ୍ରବଳ ଦାବିଦାର ରହିଛନ୍ତି । ୟୁଏଇର ପିଚ୍ ଓ ପରିସ୍ଥିତି ଭାରତକୁ ବେଶ ସୁହାଇବ, ଏଭଳି କ୍ଷେତ୍ରରେ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବିଶ୍ୱକପ୍ ବିଜୟୀ ହେବାର ପ୍ରବଳ ଦାବିଦାର ରହିଛି ।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଇଞ୍ଜାମାମ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚକୁ ବେଶ ସହଜରେ ଜିତିଥିଲା ଟିମ୍ ଇଣ୍ଡିଆ । ଉପମହାଦେଶୀୟ ପିଚରେ ଟିମ୍ ଇଣ୍ଡିଆ ଟି-୨୦ରେ ସବୁଠୁ ଶକ୍ତିଶାଳୀ ଦଳ । ୧୫୫ ରନର ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିଥିଲା ଟିମ୍ ଇଣ୍ଡିଆ ଓ ଏଥିପାଇଁ କୋହଲିଙ୍କ ବ୍ୟାଟିଂର ଆବଶ୍ୟକତା ମଧ୍ୟ ପଡିନଥିଲା । କୌଣସି ଟୁର୍ଣ୍ଣାମେଣ୍ଟରେ ଏହା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ ଯେ, କିଏ ଚାମ୍ପିୟନ ହେବ?କିନ୍ତୁ ଦୁବାଇର ପରିସ୍ଥିତି ଓ ପରିବେଶକୁ ଦେଖିଲେ ଟିମ୍ ଇଣ୍ଡିଆ ଚାମ୍ପିୟନ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

ଇଞ୍ଜାମାମ୍ କହିଛନ୍ତି, ଟିମ୍ ଇଣ୍ଡିଆ ପାଖରେ ଦକ୍ଷ ଖେଳାଳୀ ରହିଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ବେଶ ଶକ୍ତିଶାଳୀ । ଟୁର୍ଣ୍ଣାମେଣ୍ଟ ଆଗକୁ ବଢିବା ସହ ୟୁଏଇ ପିଚ୍ ସ୍ପିନ ବୋଲିଂକୁ ସୁହାଇବ । ଏଭଳି କ୍ଷେତ୍ରରେ ଭାରତ ପାଖରେ ଅଶ୍ୱିନୀ ଓ ଜାଡେଜାଙ୍କ ଭଳି ଅନୁଭବୀ ସ୍ପିନର ରହିଛନ୍ତି । ଏହାସହ ଭାରତୀୟ ବ୍ୟାଟସମ୍ୟାନ୍ ସ୍ପିନକୁ ବେଶ ଭଲ ଭାବେ ଖେଳନ୍ତି । ତେଣୁ ଭାରତକୁ ଚଳିତ ବିଶ୍ୱକପରେ ଏତେଟା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ନ ପଡିପାରେ ।

ଅନ୍ୟପଟେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଇଞ୍ଜାମାମ କହିଛନ୍ତି, ୨୪ ଅକ୍ଟୋବରରେ ହେବାକୁ ଥିବା ମୁକାବିଲା ଫାଇନାଲ ପୂର୍ବରୁ ଫାଇନାଲ । ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଭାରତ-ପାକିସ୍ତାନ ପରସ୍ପରକୁ ସାମ୍ନା କରିବା ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଆରମ୍ଭ କରିଥିଲେ ଫାଇନାଲ ଖେଳି ଯାତ୍ରା ଶେଷ କରିଥିଲେ । ଭାରତ-ପାକିସ୍ତାନ ମଧ୍ୟରେ ଖେଳଯାଇଥିବା ଉଭୟ ମ୍ୟାଚ୍ ଫାଇନାଲ ମୁକାବିଲା ଭଳି ଥିଲା । ଏସବୁ ଭିତରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲାକୁ ଜିତି ମନୋବଳ ବଢାଇବାକୁ ଚାହିଁବେ ଉଭୟ ଟିମ୍ । କାରଣ ଏହି ମ୍ୟାଚ୍ ଜିତିବା ଦ୍ୱାରା ବିଜୟୀ ଟିମ୍ ଉପରୁ ୫୦ ପ୍ରତିଶତ ଭଳି ଚାପ କମିପାରେ ବୋଲି କହିଛନ୍ତି ଇଞ୍ଜାମାମ୍ ।

ବିଶ୍ୱକପ ମୁକାବିଲାରେ ଏଯାଏଁ ପାକିସ୍ତାନ ଠାରୁ ହାରିନାହିଁ ଭାରତ । ଉଭୟ ଦଳ ମଧ୍ୟରେ ୧୨ଟି ମୁକାବିଲା ଖେଳାଯାଇଥିବା ବେଳେ ସବୁ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ ।