ଭାରତର ଶକ୍ତିଶାଳୀ ‘ପାହାଡି ସେନା’ । ଚୀନ ସଂଲଗ୍ନ ସୀମାରେ ଦେଉଛନ୍ତି ପହରା, ପର୍ବତ ଘେରା ଅଞ୍ଚଳରେ ଶତ୍ରୁକୁ ନିପାତ କରିବାରେ ପାରଙ୍ଗମ । ପ୍ରଂଶସାରେ ପୋତି ପକାଇଲେ ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞ ।

377

ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ବିବାଦ ଆଲୋଚନା ପରେ ଟିକିଏ ଥଣ୍ଡା ପଡି ଆସୁଥିବା ବେଳେ ସୀମା ସେପାରିରୁ ଆସିଛି ଏକ ବଡ ଖବର । ଚୀନର ପ୍ରତିରକ୍ଷା ବିଶେଷଜ୍ଞ ହୁଆଙ୍ଗ ଗୁଓଜି କହିଛନ୍ତି, ଭାରତ ପାଖରେ ବିଶ୍ୱର ସବୁଠୁ ବଡ ତଥା ଅନୁଭବୀ ପାହାଡି ସେନା ରହିଛି । ପାହାଡ, ପର୍ବତ ଘେରା ଅଞ୍ଚଳରେ ଏହି ସେନା ଶତ୍ରୁ ସହ ଲଢେଇ କରିବାରେ ସିଦ୍ଧହସ୍ତ । ବିଶ୍ୱ ମହାଶକ୍ତି କୁହାଯାଉଥିବା ଆମେରିକା, ଋଷ ଏପରିକି ୟୁରୋପୀୟ ଦେଶ ଗୁଡିକ ପାଖରେ ମଧ୍ୟ ଏଭଳି ପ୍ରଶିକ୍ଷିତ ପାହାଡି ସେନା ନାହାନ୍ତି । ହୁଆଙ୍ଗଙ୍କ ଅନୁଯାୟୀ, ପର୍ବତ ଓ ଦୁର୍ଗମ ଅଞ୍ଚଳରେ ଭାରତର ଏହି ପାହାଡି ସେନା ଶତ୍ରୁକୁ ମାତ୍ ଦେବାରେ କ୍ଷମତା ରଖିଥାନ୍ତି । ତେଣୁ ଏହି ସବୁକ୍ଷେତ୍ରରେ ଭାରତ ସହ ଯୁଦ୍ଧ କରିବା ବେଶ କଷ୍ଟକର । ଖାସକରି ତିବ୍ଦତ ସୀମା ଭଳି ଅଞ୍ଚଳରେ ଯୁଦ୍ଧ ପାଇଁ ଏହି ପ୍ରଶିକ୍ଷିତ ପାହାଡି ସେନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ରହିଥାନ୍ତି ।

ଗତ କିଛିବର୍ଷ ହେବ ଚୀନ୍ ସୀମାକୁ ଲାଗି ରହିଥିବା ପାର୍ବତ୍ୟ ଅଞ୍ଚଳରେ ପ୍ରଶିକ୍ଷିତ ପାହାଡି ସେନାବଳ ବଢାଇଛି ଭାରତ । ହୁଆଙ୍ଗ କହିଛନ୍ତି, ୧୨ଟି ଗ୍ରୁପରେ ପ୍ରାୟ ୨ ଲକ୍ଷ ସୈନ୍ୟବଳ ସହ ବିଶ୍ୱର ସବୁଠୁ ଶକ୍ତିଶାଳୀ ପାହାଡି ଫୋର୍ସ ଭାରତ ପାଖରେ ରହିଛି । ୧୯୭୦ ମସିହାରୁ ଲଗାତାର ଭାବେ ଭାରତ ପାହାଡି ସେନାବଳକୁ ବୃଦ୍ଧି କରିବାରେ ଲାଗିଛି । ଏହାବାଦ୍ ୫୦ ହଜାର ଯବାନଙ୍କୁ ନେଇ ଆଗକୁ ମାଉଣ୍ଟେନ ଷ୍ଟ୍ରାଇକ ଫୋର୍ସ ପ୍ରସ୍ତୁତ କରିବାକୁ ଯୋଜନା କରୁଛି ଭାରତ । ଏହି ପାହାଡି ସେନାରେ ସାମିଲ ହୋଇଥିବା ସମସ୍ତ ଯବାନ କିଛି କ୍ଷଣ ମଧ୍ୟରେ ପାହାଡ ଚଢିବାରେ ଧୁରନ୍ଧର । ସେଥିପାଇଁ ଅଭିଜ୍ଞ ପର୍ବତାରୋହୀଙ୍କୁ ଏହି ସେନାରେ ସାମିଲ କରିବାକୁ ଯୋଜନା କରୁଛି ଭାରତ ।

ହୁଆଙ୍ଗ କହିଛନ୍ତି, ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନରେ ମଧ୍ୟ ଭାରତ ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । ସିଆଚୀନ ଗ୍ଲାସିୟରରେ ଭାରତ ଶତାଧିକ କ୍ୟାମ୍ପ ପ୍ରସ୍ତୁତ କରିଥିବା ବେଳେ ସମୁଦ ପତନରୁ ୫୦୦୦ ମିଟର ଉପରେ ୬ ହଜାରରୁ ୭ ହଜାର ସେନାଙ୍କୁ ମୁତୟନ କରିଛି । ପାର୍ବତ୍ୟ ଅଞ୍ଚଳରେ ଅପରେସନ ପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି । ଏଥିପାଇଁ ବିଶ୍ୱର ସବୁଠୁ ହାଲୁକା ତୋପ ଏମ୭୭୭ ଓ ଚିନୁକ ହେଲିକପ୍ଟର କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଭାରତ । ଏହାବାଦ୍ ଭାରତୀୟ ସ୍ଥଳସେନା ଆମେରିକା ଠାରୁ ଏଏଚ୍-୬୪ଇ ଅପାଚେ ହେଲିକପ୍ଟର କିଣିବାକୁ ଯୋଜନା କରୁଛି । ଯାହାଦ୍ୱାରା ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଚାହୁଁଛି ଭାରତ ।

ଗୋଟିଏ ପଟେ ହୁଆଙ୍ଗ ଭାରତୀୟ ସେନାର ପ୍ରଂଶସା କରୁଥିବା ବେଳେ ଅନ୍ୟପଟେ ସୀମାରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ହ୍ରାସ ପାଉଛି । ଦୀର୍ଘ ଏକ ମାସ ଧରି ମୁହାଁମୁହିଁ ଥିବା ଭାରତ-ଚୀନ୍ ସେନା ଏବେ ପଛକୁ ହଟିଛନ୍ତି । କମାଣ୍ଡରସ୍ତରୀୟ ଆଲୋଚନା ପରେ ଏବେ ସୀମାରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ।