କନକ ବ୍ୟୁରୋ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ଭାରତ ତରଫରୁ ଶାନ୍ତି ପାଇଁ ଅନୁରୋଧ କରି ନିଜର ସଂପ୍ରଭୁତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାମ କରିଛି । ମୋନମୋହନ ସିଂ ଜି-୨୦ ବୈଠକ ପୂର୍ବରୁ ଏକ ସାକ୍ଷାତକାର କ୍ରମରେ ଏଭଳି କହିଛନ୍ତି । ଏହାସହ ସେ ଘରୋଇ ରାଜନୀତି ପାଇଁ ବିଦେଶ ନୀତିକୁ ବ୍ୟବହାର କରିବା ଉପରେ ଚେତାବନୀ ଦେଇଛନ୍ତି ।

Advertisment

ଚଳିତ ବର୍ଷ ଭାରତ ଜି-୨୦ ଦେଶମାନଙ୍କର ଅଧ୍ୟକ୍ଷତା କରୁଛି । ଏନେଇ ୯ ଓ ୧୦ ତାରିଖରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସମେତ ଜି-୨୦ ସଦସ୍ୟତା ଥିବା ଦେଶର ଅନେକ ବଡ ବଡ ବିଶ୍ୱନେତା ଦିଲ୍ଲୀରେ ଭିଡ ଜମାଉଛନ୍ତି । ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ଶିଖର ସମ୍ମିଳନୀରେ ସାମିଲ ହେବେ ନାହିଁ । ସୂତ୍ର ସୂଚନା ମୁତାବକ ୨୦୦୪ ରୁ ୨୦୦୮ ମଧ୍ୟରେ ୟୁପିଏ ସମର୍ଥନରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କୁ ଶନିବାର ଦିନ ଜି-୨୦ ନେତାଙ୍କ ପାଇଁ ଆୟୋଜିତ ରାତ୍ର ଭୋଜନକୁ ନିମନ୍ତ୍ରଣ କରାଯାଇଛି ।

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସରକାରଙ୍କ କଠୋର କୂଟନୈତିକ ମୁକାବିଲା ସଂପର୍କରେ ମନମୋହନ ସିଂ କହିଛନ୍ତି ଯେ କେନ୍ଦ୍ର ସରକାର ସଠିକ୍ କାମ କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଦୁଇ କିମ୍ବା ଅଧିକ ଦେଶ ଯୁଦ୍ଧରେ ସାମିଲ ହୋଇଥାନ୍ତି ସେତେବେଳେ ପକ୍ଷ ବାଛିବା ପାଇଁ ଅନ୍ୟ ଦେଶମାନଙ୍କ ଉପରେ ଚାପ ପଡିଥାଏ । ଶାନ୍ତି ପାଇଁ ନିବେଦନ କରିବା ବେଳେ ଭାରତ ଆମର ସାର୍ବଭୌମ ଓ ଅର୍ଥନୈତିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସଠିକ୍ କାର୍ଯ୍ୟ କରିଛି ବୋଲି ମନମୋହନ ସିଂ କହିଛନ୍ତି ।