କଳାଧନ ବିରୋଧରେ ଆଉଏକ ସଫଳତା, ସ୍ୱିସ୍ ବ୍ୟାଙ୍କ ଜାରିକଲା ଭାରତୀୟ ଖାତା ଧାରକଙ୍କ ତୃତୀୟ ତାଲିକା

381

କନକ ବ୍ୟୁରୋ : କଳାଧନ ବିରୋଧରେ କେନ୍ଦ୍ର ସରକାରଙ୍କୁ ଆଉଏକ ସଫଳତା ମିଳିଛି । କଳାଧନକୁ ନେଇ ସ୍ୱିଜରଲାଣ୍ଡ ସହ ହୋଇଥିବା ଚୁକ୍ତି ମୁତାବକ ଏବେ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ ଖାତା ଧାରକଙ୍କ ତୃତୀୟ ତାଲିକା ପ୍ରକାଶ ପାଇଛି । ଏନେଇ ସ୍ୱିଜରଲାଣ୍ଡ ସରକାର କହିଛନ୍ତି କି ଏହି ତାଲିକାରେ ୯୬ ଟି ଦେଶର ୩୩ ଲକ୍ଷ ଖାତା ଧାରକଙ୍କ ସୂଚନା ଦିଆଯାଇଛି ।

ଏହି ୯୬ ଟି ଦେଶ ମଧ୍ୟରୁ ଭାରତୀୟ ଖାତା ଧାରକଙ୍କ ସୂଚନା ସ୍ୱିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି । ସ୍ୱିଜରଲାଣ୍ଡର ସଂଘୀୟ କର ପ୍ରଶାସନ ଏହି ବର୍ଷ ବୈଷୟିକ ମାନଦଣ୍ଡ ଢାଞ୍ଚାରେ ଆର୍ଥିକ ଖାତା ଧାରକଙ୍କ ସୂଚନା ଦେଇଛି । ଏହା ପୂର୍ବରୁ ଅକ୍ଟୋବର ୨୦୨୦ ରେ ବି ୮୬ ଟି ଦେଶର ୩୧ ଲକ୍ଷ ଖାତା ଧାରକଙ୍କ ସୂଚନା ସେୟାର କରାଯାଇଥିଲା । ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ମାସରେ ବି ସ୍ୱିଜରଲାଣ୍ଡ ସରକାର ୭୫ ଟି ଦେଶର ଖାତା ଧାରକଙ୍କ ନାମ ସେୟାର କରିଥିଲା ।

ସଂଘୀୟ କର ପ୍ରଶାସନ ଏହି ସନ୍ଦର୍ଭରେ ସୋମବାର କହିଛନ୍ତି କି ଚଳିତ ବର୍ଷ ଅଧିକ ୧୦ ଟି ଦେଶକୁ ସେମାନଙ୍କ ଖାତା ଧାରକଙ୍କ ବାବଦରେ ସୂଚନା ଦିଆଯାଇଛି । ଏହା ମଧ୍ୟରେ ଆଣ୍ଟିଗ୍ରୁଆ, ବାରବୁଡା, ଅଜରବୈଜାନ, ଡୋମିନିକା, ଘାନା, ଲେବନାନ, ମକାଓ, ପାକିସ୍ତାନ, କତର, ସମୋଆ ଓ ଭାଉତାଓ ସାମିଲ ରହିଛି ।

କହିରଖୁ କି ସ୍ୱିଜରଲାଣ୍ଡ କର ପ୍ରଶାସନ ଦେଇଥିବା ସୂଚନାରେ ଦେଶର ନାମ ଓ ଆଗୁଆ ବିବରଣୀ ପ୍ରଦାନ କରିନାହିଁ । ଅଧିକାରୀ କହିଛନ୍ତି କି ଭାରତକୁ ଲଗାତର ତୃତୀୟ ବର୍ଷ ସୂଚନା ଦିଆଯାଇଛି ।

ଅନ୍ୟପଟେ ୨୬ ଟି ଦେଶ ସ୍ୱିଜରଲାଣ୍ଡ ସହ ସୂଚନା ସେୟାର କରିଥିବା ବେଳେ ସ୍ୱିଜରଲାଣ୍ଡ ସରକାର ନିଜ ତରଫରୁ କୌଣସି ସୂଚନା ସେୟାର କରିନାହିଁ । ଅନୁମାନ କରାଯାଉଛି କି ତଥ୍ୟ ସୁରକ୍ଷିତ କାରଣରୁ ୧୪ ଟି ଦେଶକୁ ସ୍ୱିଜରଲାଣ୍ଡ ସୂଚନା ଦେବାକୁ ମନା କରିଛି । ଏହାସହ ୧୨ ଟି ଦେଶ ଜାଣିଶୁଣି ସୂଚନା ପ୍ରାପ୍ତ ନକରିବାକୁ ସହମତି ପ୍ରକାଶ କରିଛନ୍ତି ।